ନିର୍ବାଚନ ପାଣ୍ଠି ସଂଗ୍ରହ ଅନିୟମିତତା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ନବୀନ : କହିଲେ, ଇର୍ଷାପରାୟଣ ହୋଇ ଅପପ୍ରଚାର କରୁଛି ବିଜେପି

18

କନକ ବ୍ୟୁରୋ : ବିଜେଡିର ପାଣ୍ଠି ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଇନର ଆଶ୍ରୟ ନେଇପାରେ ବିଜେଡି । ଆଜି ଦିଲ୍ଲୀରୁ ଫେରି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ପାଣ୍ଠି ଅନିୟମିତତା ନେଇ ଆସୁଥିବା ଅଭିଯୋଗକୁ ସେ ଇର୍ଷାପରାୟଣ, କପୋଳକଳ୍ପିତ ଓ ଭିତ୍ତିହୀନ ବୋଲି କହିଛନ୍ତି । ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହରେ ଅନିୟମିତତା ନେଇ ନିର୍ବାଚନ କମିଶନଙ୍କୁ ଓଡିଶା ହାଇକୋର୍ଟ ନୋଟିସ କରିଥିଲେ । ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ ଜାରି କରିଥିଲେ ହାଇକୋର୍ଟ ।

ଗତ ୧୮ ତାରିଖରେ ହାଇକୋର୍ଟ ଏ ନେଇ ନୋଟିସ ଜାରି କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାପରେ ବିଜେଡିକୁ ଘେରିଥିଲେ ବିରୋଧୀ । ବିଜେଡି ବ୍ୟାଙ୍କ ଖାତାକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବି କରିଥିଲା । ବିଜେଡି କାର୍ଯ୍ୟାଳୟରେ କାମ କରୁଥିବା ଜଣେ ବ୍ୟକ୍ତି ପ୍ରାୟ କୋଟିଏ ଟଙ୍କା ପାର୍ଟି ଆକାଉଂଟରେ ଜମା କରିଛନ୍ତି । ଯଦିଓ ଦଳ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି ଯେ, ବିଭିନ୍ନ ସୂତ୍ରରୁ ଦଳକୁ ମିଳୁଥିବା ଅନୁଦାନକୁ ସେ ବିଭିନ୍ନ ପର୍ଯ୍ୟାୟରେ ଜମା କରିଛନ୍ତି । ତେବେ କେତେକ ବେନାମୀ ଆକାଉଂଟରୁ କୋଟିକୋଟି ଟଙ୍କା ବିଜେଡି ଆକାଉଂଟକୁ ଟ୍ରାନ୍ସଫର ହୋଇଥିବା ମଧ୍ୟ ଅଭିଯୋଗ କରିଥିଲେ ସୁବାସ ମହାପାତ୍ର । ଦିଲ୍ଲୀରୁ ଫେରି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି , ଏଭଳି ଅଭିଯୋଗ ଭିତ୍ତିହୀନ କପୋଳକଳ୍ପିତ ।