ମହାନଦୀ ଯୁଦ୍ଧ ପାଇଁ ଆଜି ଦିଲ୍ଲୀ ଯିବେ ନବୀନ : ବିଜୟୀ ଶଙ୍ଖଧ୍ୱନୀରେ ଉଠୁଛି ପଡୁଛି ନବୀନ ନିବାସ ଆଖପାଖ

24

vlcsnap-2016-09-16-11h28m05s643କନକ ବ୍ୟୁରୋ : ମହାନଦୀ ଯୁଦ୍ଧ ପାଇଁ ନବୀନଙ୍କ ସଜବାଜ । ମେଲାଣୀ ସମ୍ବର୍ଦ୍ଧନା ପାଇଁ ହଜାର ହଜାର ଦଳୀୟ କର୍ମୀ ଏକାଠି ହେଉଛନ୍ତି ନବୀନ ନିବାସରୁ ଏୟାରପୋର୍ଟ ଯାଏଁ । ବିଜୟୀ ଶଙ୍ଖଧ୍ୱନୀରେ ଉଠୁଛି ପଡୁଛି ନବୀନ ନିବାସ ଆଖପାଖ । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆସନ୍ତାକାଲି ଦିଲ୍ଲୀରେ ବସିବ ଉଚ୍ଚ ସ୍ତରୀୟ ବୈଠକରେ ସାମିଲ ହେବା ପାଇଁ ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱରରେ ଏବ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ୧୫ ହଜାରରୁ ଉଦ୍ଧ୍ୱର୍ ନେତା ଓ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରର ବିଭିନ୍ନ ଛକରୁ ଏହି ରାଲି ବାହାରି ନବୀନ ନିବାସ ଅଭିମୁଖେ ଯିବେ । ଏହି କାର୍ଯ୍ୟକ୍ରମ ସାରିବା ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ ।

ଆସନ୍ତାକାଲି ଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ଆଲୋଚନା ହେବ । ଏହି ବୈଠକରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉଭୟ ରାଜ୍ୟର ସ୍ୱାର୍ଥକୁ ନେଇ ସମାଧାନର ପନ୍ଥା ବାହାରିବ ବୋଲି ଆଶା କରାଯାଉଛି । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିଙ୍କ ଠାରୁ ମହାନଦୀ ଜଳ ବିବାଦ ନେଇ ପରାମର୍ଶ ନେଇଛନ୍ତି ।

ଦୁଇ ଦିନ ଧରି ଚାଲିଥିବା ଏହି ପରାମର୍ଶ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ସଚିବାଳୟ ତୃତୀୟ ମହଲା ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଥିଲା । ସେହିପରି ଏହା ପୂର୍ବରୁ ଛତିଶଗଡ଼ର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ତାର ରିପୋର୍ଟ ଦେଇଥିଲା  । ଏଥିରେ କୁହାଯାଇଥିଲା ଯେ, ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ନିର୍ମାଣ କରୁଥିବା ପ୍ରକଳ୍ପ ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେବ।

ଏହା ସହ ଦେଖନ୍ତୁ ଏହି ଭିଡିଓ –