ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଗଲେନି ମୁଖ୍ୟମନ୍ତ୍ରୀ ! କହିଲେ, ଦଳୀୟ କାର୍ଯ୍ୟକ୍ରମରେ ଆସିଛନ୍ତି ପ୍ରଧାନମନ୍ତ୍ରୀ

0

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଗଲେନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରୋଟୋକଲ ଅନୁଯାୟୀ ସରକାରୀ କାର୍ଯ୍ୟକ୍ରମରେ କୌଣସି ରାଜ୍ୟକୁ ପ୍ରଧାନମନ୍ତ୍ରୀ ଗସ୍ତକଲେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥାନ୍ତି ସେଠାକାର ମୁଖ୍ୟମନ୍ତ୍ରୀ । ହେଲେ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଓଡିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେଣୁ ଏହା ତାଙ୍କର ଦଳୀୟ କାର୍ଯ୍ୟକ୍ରମ ହୋଇଥିବାରୁ ମୋଦିଙ୍କୁ ସାକ୍ଷାତ କରିବେ ନାହିଁ ବୋଲି ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ମୋଦିଙ୍କ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦେଖିବାକୁ ମିଳିଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଓ ପୋଲିସ ଡିଜି ବି. କେ ସିଂ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରକ୍ଷା କରିଥିବା ସବୁବେଳେ କହିଆସୁଛନ୍ତି ବିଜେଡି ସୁପ୍ରିମୋ । ତେଣୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ପ୍ରଧାନମନ୍ତ୍ରୀଙ୍କଠାରୁ ମଧ୍ୟ ଦୂରତା ବଜାୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Comments are closed.