ଦିଦିଙ୍କ ସଂଘ ଦୁଇ ଫାଳ ! ବିଜେଡି-ବିଜେପି ଟଣା ଓଟରା ଭିତରେ ଦିଗହରା ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ

32

କନକ ବ୍ୟୁରୋ : ଦିଦିଙ୍କ ଦାବି ମାନିଲେ ସରକାର । ଦୀର୍ଘ ୩୬ ଦିନ ଧରି ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଥିବା ଆଙ୍ଗନବାଡି ଦିଦିଙ୍କ ଦରମା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଆଙ୍ଗନବାଡି ଦିଦିଙ୍କ ଦରମା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମିନି ଆଙ୍ଗନବାଡି ଦିଦିଙ୍କ ଦରମା ୪ହଜାର ୧୨୫ ଟଙ୍କା ଓ ଆଙ୍ଗନବାଡି ସହାୟିକାଙ୍କ ଦରମା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏଥିସହ ଦିଦିଙ୍କୁ ସ୍ୱାସ୍ଥ୍ୟବୀମା ଓ ଜୀବନ ବୀମା ପାଇଁ ସରକାର ବ୍ୟବସ୍ଥା କରିବେ । ଏ ବାବଦ ପ୍ରିମିୟମ ସରକାର ଭରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଙ୍ଗନବାଡି ଦିଦିଙ୍କ ସଂଘ ଦୁଇଫାଳ । ଦରମାରେ ପ୍ରାୟ ୨ ହଜାର ଟଙ୍କା ବୃଦ୍ଧିକୁ ନେଇ ଗୋଟିଏ ଗୋଷ୍ଠୀ ସନ୍ତୁଷ୍ଟ ଥିବାବେଳେ ଅନ୍ୟଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି । କୁହାଯାଉଛି ସରକାରଙ୍କ ଘୋଷଣା ପରେ ବିଜେଡି ସମର୍ଥୀତ ବିଜୁ ଶ୍ରମିକ ସାମୁଖ୍ୟର ଆନ୍ଦୋଳନରୁ ଓହରି ଯାଇଛି । ହେଲେ ବିଜେପି ସମର୍ଥୀତ ଭାରତୀୟ ମଜଦୁର ସଂଘ ଆନ୍ଦୋଳନରୁ ଓହରି ନାହିଁ ।  ମାସେରୁ ଅଧିକ ସମୟ ହେଲା ଅଙ୍ଗନବାଡି କର୍ମୀମାନେ ରାଜରାସ୍ତାରେ ବସିଥିବା ବେଳେ ସରକାରଙ୍କ ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ଆସନ୍ତାକାଲିଠାରୁ ଅଙ୍ଗନୱାଡି କର୍ମୀଙ୍କ ସମର୍ଥନରେ ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ମହିଳା ମୋର୍ଚ୍ଚା ।

ରାଜଧାନୀ ରାଜରାସ୍ତାରେ ଦିନ ରାତି ଖରା ବର୍ଷାରେ ପଡ଼ି ଆନ୍ଦୋଳନ କରୁଥିବା ରାଜ୍ୟ ଅଙ୍ଗନବାଡି କର୍ମୀ ସଂଗଠନ ଦୁଇ ଫାଳ । ବିଜେଡି-ବିଜେପି ଟଣାଓଟରା ଭିତରେ ୩୬ ଦିନର ଆନ୍ଦୋଳନ ଦିଗହରା ହୋଇଯାଇଛି । ବିଜେପି ସମର୍ଥିତ ଭାରତୀୟ ମଜଦୂର ସଂଘ କିଛି ଅଙ୍ଗନବାଡ଼ି କର୍ମୀଙ୍କ ସହ ଧାରଣା ବସିଥିବା ବେଳେ ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ କିଛି କର୍ମୀ ଦାବି ପୂରଣ ପାଇଁ ଭେଟିଥିଲେ ମୁଖ୍ୟମନ୍ତ୍ରୀଙ୍କୁ । ସେମାନଙ୍କ ଦାବି ନେଇ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି । ଏହା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ଘୋଷଣା କରିଛନ୍ତି ଅଙ୍ଗନବାଡି କର୍ମୀଙ୍କ ଗୋଟିଏ ଗୋଷ୍ଠୀ ।

ବିଜେପି-ବିଜେଡି ରାଜନୀତି ଭିତରେ ବଳି ପଡିଛି ଅଙ୍ଗନବାଡ଼ି କର୍ମୀଙ୍କ ସ୍ୱାର୍ଥ । ଦଳୀୟ ରାଜନୀତି ଭିତରେ ବାଂଟି ହୋଇଯାଇଛନ୍ତି କର୍ମୀ ।