ବଦଳିଯିବ ବସ୍ତିର ଚେହେରା । ସ୍ୱପ୍ନର ଘର ପାଇବେ ବସ୍ତିବାସିନ୍ଦା । ସହରାଂଚଳ ବସ୍ତି ଲୋକଙ୍କ ପାଇଁ ଛତ୍ରପୁରରୁ ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ

50

କନକ ବ୍ୟୁରୋ: ବଦଳିଯିବ ବସ୍ତିର ଚେହେରା । ସ୍ୱପ୍ନର ଘର ପାଇବେ ବସ୍ତିବାସିନ୍ଦା । ସହରାଂଚଳ ବସ୍ତିବାସିନ୍ଦାଙ୍କୁ ବିସ୍ଥାପନ ନକରି ସେମାନଙ୍କୁ ସେହିସ୍ଥାନରେ ଥଇଥାନ ପାଇଁ ଓଡ଼ିଶା ସରକାର ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହାତକୁ ନେଇଛନ୍ତି । ବସ୍ତିବାସିନ୍ଦାଙ୍କୁ ଜମିର ଅଧିକାର ଦେବା ନେଇ ଆଇନ୍ ଆଣିବା ପରେ ଆଜି ଏକ ଉଚ୍ଚାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଓଡିଶା ସରକାର ।

ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା, ବିଶିଷ୍ଟ ଆର୍କିଟେକ୍ ନର୍ମନ ରର୍ବଟ ଫଷ୍ଟରଙ୍କ ଉପସ୍ଥିତିରେ ଏହି ବିରାଟ ପ୍ରକଳ୍ପ ଆରମ୍ଭ କରାଯାଇଛି । ଗଂଜାମର ୮ଟି ଏନ୍ଏସି ସମେତ ପୁରୀ ଜିଲ୍ଲା କୋଣାର୍କ ଏନଏସି ଅଂଚଳରେ ଝୁମ୍ପୁଡ଼ିରେ ରହୁଥିବା ୨ ହଜାର ହିତାଧିକାରୀଙ୍କୁ ଦିଆଯାଇଛି ଜମି ଅଧିକାର ପ୍ରମାଣପତ୍ର । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କାର୍ଯ୍ୟକ୍ରମରେ ବର୍ଷକ ମଧ୍ୟରେ ରାଜ୍ୟର ବିଭିନ୍ନ ପୌରାଂଚଳର ୧୦ ଲକ୍ଷ ଲୋକଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦିଆଯିବା ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା । ଟାଟା ଟ୍ରଷ୍ଟ ଏହି ବଡ଼ ପ୍ରକଳ୍ପ ପାଇଁ ଯୋଗାଇ ଦେବ ବୈଷୟିକ ସହାୟତା । ସମାବେଶରେ ଯୋଗ ଦେଇ ରତନ ଟାଟା କହିଛନ୍ତି, ଓଡ଼ିଶା ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି, ତାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।

ବସ୍ତିବାସିନ୍ଦାଙ୍କୁ ସ୍ୱତନ୍ତ୍ର ଘର ସହ ଅନ୍ୟାନ୍ୟ ଭିତିଭୂମି ପାଇଁ ନର୍ମିନ ଫଷ୍ଟର ଫାଉଣ୍ଡେସନ ଦାୟିତ୍ୱ ନେଇଛି । ବସ୍ତିବାସିନ୍ଦାଙ୍କ ପାଇଁ ଯେଉଁ ସୁଯୋଗ ସୃଷ୍ଟି ହେବାକୁ ଯାଉଛି, ତାହା ବିଶ୍ୱରେ ପ୍ରଥମ ହେବ ବୋଲି କହିଛନ୍ତି ଫାଉଣ୍ଡେସନର ସଭାପତି ଲର୍ଡ ନର୍ମନ ଫଷ୍ଟର । ତେବେ ବାସଉପଯୋଗୀ ଗୃହ ସହ ପରିମଳ ବ୍ୟବସ୍ଥା, ଆଲୋକୀକରଣ, ପାନୀୟ ଜଳ ଓ ସମଗ୍ର ପରିବେଶକୁ ସ୍ୱତନ୍ତ୍ର ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ ମଧ୍ୟ କରାଯାଇଛି ।