ସୋଶିଆଲ ମିଡିଆରେ ଆକ୍ଟିଭ୍ ମୁଖ୍ୟମନ୍ତ୍ରୀ ! ନିଜ ଅଫିସିଆଲ ଟ୍ୱିଟରରେ ପ୍ରଶ୍ନ କରି ମାଗୁଛନ୍ତି ଉତ୍ତର, ଲୋକଙ୍କ ନିକଟତର ହେବାକୁ ପ୍ରୟାସ

23

ବର୍ତ୍ତମାନ ଗୋଟିଏ ସେକଣ୍ଡରେ ଲୋକଙ୍କ ପାଖରେ ପହଂଚିବା ପାଇଁ ମାଧ୍ୟମ ହେଉଛି ସୋଶିଆଲ ମିଡିଆ । ଆଉ ଏହାର ଭରପୁର ଫାଇଦା ନେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଗତ ୨୩ ତାରିଖ ଦିନ ଏକ ଓଭର ବ୍ରିଜ ଫଟୋ ପୋଷ୍ଟ କରିଥିଲେ । ଏବଂ ସେହି ଫଟୋରେ ବଖାଣିଥିଲେ ଓଭର ବ୍ରିଜର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ । ଶେଷରେ ସୋଶିଆଲ ମିଡିଆର ବ୍ୟବହାରକାରୀଙ୍କୁ ଏହି ଫଟୋ କେଉଁ ଓଭର ବ୍ରିଜର ବୋଲି ଅନୁମାନ କରିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ୨୪ ତାରିଖ ମଧ୍ୟାହ୍ନ ୧୨ଟାରେ ପୁଣି ଉତ୍ତର ଦେବା ପାଇଁ ମଧ୍ୟ ନିଜ ଟ୍ୱିଟରରେ ଲୋକଙ୍କୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ଠିକ ୨୪ ତାରିଖ ମଧ୍ୟାହ୍ନ ୧୨ଟାରେ ପୁଣି ଲୋକଙ୍କ ସହ ସୋଶିଆଲ ମିଡିଆରେ ଯୋଡି ହୋଇଥିଲେ ନବୀନ । ଟ୍ୱିଟରରେ ଓଭର ବ୍ରିଜ ଫଟୋ ଉତ୍ତର ଦେଇଥିବା ସମସ୍ତ ଉତ୍ତର ଦାତାଙ୍କୁ ନିଜେ ପ୍ରତିଉତ୍ତର ଦେବା ସହ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଫଟୋର ଗୁରୁପ୍ରିୟା ସେତୁ ବୋଲି ଉତ୍ତର ଦେଇଥିବା ସମସ୍ତ ଲୋକଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ରିପ୍ଲାଇ ଦେଇଥିଲେ । ଯାହାକି ଲୋକମାନଙ୍କୁ ବେଶ ଆନନ୍ଦିତ କରିଛି ବୋଲି ନବୀନଙ୍କ ଟ୍ୱିଟର ଆକାଉଣ୍ଟର ପ୍ରତିକ୍ରିୟାରୁ ବେଶ୍ ବାରି ହୋଇ ପଡୁଛି ।

ତେବେ ପୂର୍ବରୁ ଅନେକ ସମୟରେ ସ୍କୁଲ ପିଲା, ଦଳୀୟ କର୍ମୀ ଏବଂ ଲୋକଙ୍କ ସହ ସେଲ୍ଫି ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଟ୍ୱିଟରେ ଆକ୍ଟିଭ୍ ମୁଖ୍ୟମନ୍ତ୍ରୀ ଭାବେ ଜଣାପଡୁଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ସରକାରୀ କର୍ମଚାରୀ ଏବଂ ଦଳୀୟ କର୍ମୀଙ୍କୁ ସୋଶିଆଲ ମିଡିଆର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଗତ କିଛି ମାସ ତଳେ ସ୍କୁଲ ପିଲାଙ୍କ ପାଇଁ ‘ମୋ ସ୍କୁଲ ସୋଶିଆଲ ମିଡିଆ’ ଅଭିଯାନ ଦ୍ୱାରା ରାଜ୍ୟରେ ଆଦର୍ଶ ସ୍କୁଲ ଗଢ଼ିବା ପାଇଁ ନବୀନଙ୍କ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଥିଲା । ତେବେ ରାଜ୍ୟବାସୀଙ୍କ ପାଖରେ ତୁରନ୍ତ ପହଂଚିବା ପାଇଁ ମଧ୍ୟ ଏହି ସୋଶିଆଲ ମିଡିଆର ଫାଇଦା ନେବାକୁ ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।