ତିତଲି ପ୍ରଭାବିତଙ୍କ ପାଇଁ ନବୀନ ଖୋଲିଲେ ଭଣ୍ଡାର । ପ୍ରାଥମିକ ପର୍ଯ୍ୟାୟରେ ୧୦୨ କୋଟି ଟଙ୍କାର ରିଲିଫ୍ ଘୋଷଣା କଲେ ରାଜ୍ୟ ସରକାର

36

କନକ ବ୍ୟୁରୋ : ତିତଲି ବାତ୍ୟା ପ୍ରଭାବିତଙ୍କ ପାଇଁ ଭଣ୍ଡାର ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିତଲି କ୍ଷୟକ୍ଷତି ବାବଦକୁ ପ୍ରାଥମିକ ପର୍ଯ୍ୟାୟରେ ୩ଟି ଜିଲ୍ଲା ଗଜପତି, ଗଞ୍ଜାମ ଓ ରାୟଗଡା ପାଇଁ ୧୦୨ କୋଟି ଟଙ୍କାର ରିଲିଫ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାଛଡା ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ସହାୟତା ମଧ୍ୟ ଦେବାକୁ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଏହାସହ ଅଫିସର ମାନଙ୍କୁ ସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କ ପାଖରେ ସମସ୍ତ ପ୍ରକାର ସୁବିଧା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଏହାଛଡା ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ନବୀନ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଓ ଭଞ୍ଜନଗର ଯାଇ ଲୋକଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି। ଭଞ୍ଜନଗରରେ ମୁଖ୍ୟମନ୍ତ୍ରୀ ନବୀନ ବିଗତ ଦିନରେ ଦେଖାଯାଇଥିବା ଭୟଙ୍କର ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଆକଳନ ସଂପର୍କୀତ ସମୀକ୍ଷା କରିବେ ଓ ବାରଘରରେ ଲୋକଙ୍କ ସମସ୍ୟା ପଚାରି ବୁଝିବାର କାର୍ଯ୍ୟକ୍ରମ ରହିଛି ।