ମହିଳା ସଂରକ୍ଷଣକୁ ରାହୁଲଙ୍କ ସମର୍ଥନ ପାଇଁ ଖୁସି ପ୍ରକାଶ କଲେ ନବୀନ । କହିଲେ, ରାହୁଲ ସମର୍ଥନ କରିଥିବାରୁ ମୁଁ ଖୁସି, ଅନ୍ୟ ରାଜ୍ୟ ମାନେ ମଧ୍ୟ ବିଲକୁ ସମର୍ଥନ କରନ୍ତୁ

190

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟ କ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିବାରୁ ନବୀନ ରାହୁଲଙ୍କ ଉପରେ ଖୁସି ହୋଇଛନ୍ତି । ଏପରିକି ଅନ୍ୟ ରାଜ୍ୟ ମାନେ ମଧ୍ୟ ଏହି ବିଲକୁ ସମର୍ଥନ କରନ୍ତୁ ବୋଲି କହିଛନ୍ତି ନବୀନ । ରାହୁଲଙ୍କ ସମର୍ଥନ ପରେ ନବୀନଙ୍କ ଏହି ବିଲ୍ ଏବେ ବଳ ପାଇଛି ।

ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଯେଭଳି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି-ମହିଳା ସଂକ୍ଷରଣ ବିଲ୍କୁ ସମର୍ଥନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଠିକ୍ ସେଭଳି କଂଗ୍ରେସ ଶାସନ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଭାଗିଦାରୀରେ ଚାଲିଥିବା ସରକାରର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ଅଧ୍ୟକ୍ଷ । ଚିଠିରେ ରାହୁଲ ନିଜ ନିଜ ବିଧାନସଭାରେ ମହିଳା ସଂରକ୍ଷଣ ନେଇ ସଂକଳ୍ପ ପାରିତ କରିବା ସହ ସଂସଦରେ ବିଲକୁ ପାରିତ କରିବାକୁ ଆହ୍ୱାନ ଦେଇଥିଲେ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ବିଧାନସଭା ଏବଂ ସଂସଦ ୩୩ ପ୍ରତିଶତ ସଂରକ୍ଷଣକୁ ଦେବାକୁ ସଂକଳ୍ପ ପାରିତ କରିଥିଲେ । ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଏହା ପରେ ନିଜସ୍ୱ ଉଦ୍ୟମରେ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ବିଲ୍ ପାରିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏପରିକି ଆସନ୍ତା ଶୀତ ଅଧିବେଶନରେ ସଂସଦରେ ଏହି ବିଲ ବିଜେଡିର ଫୋକସରେ ରହିବ ବୋଲି ସଂସଦୀୟ ଦଳ ବୈଠକରେ ନିଷ୍ପତି ନିଆଯାଇଛି । ଏବେ ଏହି ବିଲକୁ ରାହୁଲ ଗାନ୍ଧି ସମର୍ଥନ କରିଥିବାରୁ ଖୁସି ଜାହିର କରିଛନ୍ତି ନବୀନ ।