ଦୁର୍ନୀତି ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ଆଲୋଚନା : ଜିରୋ ଟଲରାନ୍ସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

36

କନକ ବ୍ୟୁରୋ: ଦୁର୍ନୀତି ବିକାଶର ସବୁଠାରୁ ବଡ଼ ଶତ୍ରୁ । ତେଣୁ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଦୁର୍ନୀତି ବିରୋଧରେ ସରକାରଙ୍କ ଜିରୋ ଟଲରାନ୍ସ ପଲିସି କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତି ଯୋଗୁଁ ଗରୀବ ଲୋକ ଯେପରି ତା’ର ଅଧିକାରରୁ ବଂଚିତ ନହୁଏ, ସେଥିପ୍ରତି ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ବିଭିନ୍ନ ସମାଜ କଲ୍ୟାଣ ଯୋଜନା କ୍ଷେତ୍ରରେ ଦୁର୍ନୀତିକୁ ଦୃଢ ହସ୍ତରେ ଦମନ କରିବା ପାଇଁ ପ୍ରତିଷେଧକମୂଳକ ବାବସ୍ଥା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ବିଭିନ୍ନ ଗ୍ରାମ୍ୟ ଗୃହନିର୍ମାଣ ଯୋଜନା, ନିରାମୟ ଯୋଜନା, ଜନନୀ ସୁରକ୍ଷା ଯୋଜନା ଓ ଆଇ.ସି.ଡି.ଏସ୍ କାର୍ଯ୍ୟକ୍ରମ ଉପରେ ସ୍ୱତନ୍ତ୍ର ଫୋକସ୍ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ବ୍ଲକ୍ ସ୍ତରରରେ ସମସ୍ତ ପଂଚାୟତ ପ୍ରତିନିଧି, ସରକାରୀ କର୍ମଚାରୀମାନଙ୍କୁ ଦୁର୍ନୀତିର କୁପରିଣାମ ସଂପର୍କରେ ନିୟମିତ ସଚେତନ କରାଯିବ । ଏଥିପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ କମିଟିମାନ ଗଠନ କରାଯିବ । ଏହି କମିଟିମାନଙ୍କରେ ସ୍ଥାନୀୟ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହେବେ ।

ଆବଶ୍ୟକସ୍ଥଳେ ବ୍ଲକ ଓ ଜିଲ୍ଲାସ୍ତରୀୟ କମିଟି କ୍ଷେତ୍ର ପରିଦର୍ଶନ କରି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ସ୍ୱଚ୍ଛତା ତଦାରଖ କରିବେ । ଏହିସବୁ କମିଟି ନିୟମିତ ବୈଠକ କରି ବିଭିନ୍ନ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ଭିଜିଲାନ୍ସ ହେଡକ୍ୱାଟର୍ସକୁ ରିପୋର୍ଟ ଦେବେ । ଭିଜିଲାନ୍ସ ବିଭାଗ ଏସବୁ ରିପୋର୍ଟର ତର୍ଜମା କରି ସଂପୃକ୍ତ ବିଭାଗମାନଙ୍କୁ ଜଣାଇବେ । ଦୁର୍ନୀତି ପ୍ରତିଷେଧକ କାର୍ଯ୍ୟକ୍ରମକୁ ତଦାରଖ ପାଇଁ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଏକ ଓଭରସିଟ୍ କମିଟି ଗଠନ କରାଯିବ ।

ବୈଠକରୁ ଜଣା ପଡିଛି ଯେ, ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଏପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗକୁ ୫୬୦ଟି ଅଭିଯୋଗ ହସ୍ତଗତ ହୋଇଥିବାବେଳେ ୧୯୭ଟି କ୍ଷେତ୍ରରେ ଅଚାନକ ଯାଂଚ କରାଯାଇଛି ଏବଂ ୩୮ଟି କ୍ଷେତ୍ରରେ ମକଦ୍ଦମା ଦାୟର କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦ ତାରଖ ଦିନ ଟୋଲ୍ ଫ୍ରି ନମ୍ବର ସ୍ଥାପନ କରାଯାଇଥିବା ପରଠାରୁ ଏପର୍ଯ୍ୟନ୍ତ ୨୮୯ଟି ଅଭିଯୋଗ ହସ୍ତଗତ ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟ ଆଦି ସ୍ଥାନମାନଙ୍କରେ ଟୋଲ୍ ଫ୍ରି ନମ୍ବର ରଖାଯାଇଛି ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ, ଭିଜିଲାନ୍ସ ନିର୍ଦ୍ଦେ. ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ ପଚାୟତିରାଜ ଓ ସ୍ୱାସ୍ଥ୍ୟବିଭାଗର ସଚିବମାନେ ଉପସ୍ଥିତ ଥିଲେ ।