ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଅଲଗା ଅନ୍ଦାଜ୍ ! ଖେଳରୁ ଶିଳ୍ପ ମିଳୁଛି ସଫଳତା, ବନୁଛି ବ୍ରାଣ୍ଡ୍ ।

ବିଗତ ଦୁଇ ବର୍ଷ ଧରି ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରୁ ଆରମ୍ଭ କରି ଶିଳ୍ପ ମହାକୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ପ୍ରଶଂସା ସାଉଣ୍ଟିଛି । ୨୦୧୯ରେ ରାଜ୍ୟରେ କେବଳ ଗୋଟିଏ ହାୱା ବ୍ରାଣ୍ଡ୍ ନବୀନ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି ।

530

କନକ ବ୍ୟୁରୋ: ଆଗକୁ ୨୦୧୯ ସାଧାରଣ ନିର୍ବାଚନ । ଆଉ ରାଜ୍ୟ ରାଜନୀତିରେ ଶାସକ ବିଜେଡ଼ିକୁ ମାତ୍ ଦେବା ପାଇଁ ବିରୋଧୀଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି । କିନ୍ତୁ ୨୦୧୯ରେ ରାଜ୍ୟରେ କେବଳ ଗୋଟିଏ ହାୱା ବ୍ରାଣ୍ଡ୍ ନବୀନ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି । କାରଣ ଦୀର୍ଘ ୨ରୁ ୩ ବର୍ଷ ହେବ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଐତିହାସିକ ଆୟୋଜନ ଗୁଡ଼ିକ ନବୀନଙ୍କୁ ଦେଇଛି ନୂଆ ଦର୍ଜା । ଯାହାକୁ ନେଇ ବିରୋଧୀ ମଧ୍ୟ ଅନେକ ସମୟରେ ସମାଲୋଚନା କରିଥିଲେ ମଧ୍ୟ ବିଜେଡ଼ି ସୁପ୍ରମୋଙ୍କ ଉପରେ କିମ୍ବା ତାଙ୍କ କାର୍ଯ୍ୟ ଶୈଳୀରେ କିଛି ପ୍ରଭାବ ପକାଇ ପାରିନାହିଁ ବୋଲି ଖଟିରେ ଚର୍ଚ୍ଚା ହେଉଛି ।

ଗତ ୨୦୧୭ ବର୍ଷରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ୨୨ତମ ଏସୀୟ ଆଥଲେଟିକ୍ ଚାମ୍ପିୟନସିପରୁ ହିଁ ନବୀନଙ୍କୁ ନେଇ ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । କାରଣ ଏହି ଆଥଲେଟିକ୍ ମିଟ୍ ରେ କଳିଙ୍ଗରୁ ଏକ ସ୍ୱର୍ଣ୍ଣିମ ଇତିହାସ ରଚିଥିଲା ଭାରତ । ଏବଂ ଏହାର ଶ୍ରେୟ ଖେଳାଳୀମାନେ ଏପରିକି ଅନ୍ୟ ଦେଶର ପ୍ରତିଯୋଗିମାନେ ରାଜ୍ୟ ସରକାରଙ୍କ ଆୟୋଜନକୁ ନେଇ ବେଶ୍ ପ୍ରଶଂସା କରିଥିଲେ । କେବଳ ଏତିକି ନୁହେଁ ଓଡ଼ିଶା ହକି ୱାର୍ଲ୍ଡ ଲିଗ୍ ଫାଇନାଲର ମଧ୍ୟ ସଫଳ ଆୟେଜନ ନବୀନଙ୍କୁ ଦେଇଥିଲା ବିଶ୍ୱ ଦରବାରରେ ଏକ ନୂଆ ଖ୍ୟାତି ।

ଗତ କିଛିଦିନ ତଳେ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ଆୟୋଜନ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । କାରଣ ପ୍ରଥମଥର ପାଇଁ ଓଡ଼ିଶା ମାଟିରେ ଦେଶର ପ୍ରତିଷ୍ଠିତ ପୁଞ୍ଜିପତିମାନେ ଯୋଗଦେଇ ନବୀନଙ୍କ ନେତୃତ୍ୱକୁ ଭୂରି ଭୂରି ପ୍ରଂଶସା କରିଥିଲେ । ଏବଂ ଏହାସହ ରାଜ୍ୟରେ ସାଢ଼େ ୪ ଲକ୍ଷ୍ୟ କୋଟି ଟଙ୍କାର ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ନବୀନଙ୍କୁ ଦେଇଛି ବଡ଼ ସଫଳତା ବୋଲି ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ତେବେ ଏସବୁ ମଧ୍ୟରେ ନବୀନଙ୍କ ପାଇଁ ବଡ଼ ଉପଲବ୍ଧି ଯେ, ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ ସଫଳଭାବେ ସମାପ୍ତ କରିବା ପରେ ଏବେ ବାରି ଆସିଛି ପୁରୁଷ ହକି ବିଶ୍ୱକପର ସଫଳତା ସହ ଆୟୋଜନର । କାରଣ ଏହି ବିଶ୍ୱକପ ନବୀନଙ୍କୁ ପାଇଁ ଲକି ହୋଇପାରେ ବୋଲି ଖଟିରେ ଚର୍ଚ୍ଚା ହେଉଛି । ଆଉ ହକି ପାଇଁ ଏବେ ରାଜ୍ୟବାସୀଙ୍କ କ୍ରେଜ୍ ବଢ଼ିବାରେ ଲାଗିଛି । ଯାହାର ନଜୀର ଟିକେଟ୍ କିଣିବା ଠାରୁ ଆରମ୍ଭ କରି ବିଶ୍ୱକପ ଆୟୋଜନ ଏବଂ ପ୍ରଚାର ପ୍ରସାରକୁ ନେଇ ଦେଶ ଏବଂ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ନବୀନ । ତେବେ ଏସବୁ ମଧ୍ୟରେ ଆଗାମୀ ୨୦୧୯ ନିର୍ବାଚନରେ ପଞ୍ଚମ ଥର ପାଇଁ ନବୀନ କ୍ଷମତାକୁ ଆସିବେ ଆଉ ଏହାର ପ୍ରମୂଖ କର୍ଣ୍ଣଧାର ପାଲଟିବେ ଖୋଦ୍ ନବୀନ ପଟ୍ଟନାୟକ ବୋଲି ଖଟିରେ ଚର୍ଚ୍ଚା ହେଉଛି ।