ସଟଡାଉନ ନେଇ ନବୀନଙ୍କ ନିବେଦନ । ୪୮ ଘଣ୍ଟିଆ ସଟଡାଉନ ସମୟରେ ଘରେ ରହିବାକୁ ୩ ସହରବାସୀଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ । କହିଲେ ସଂକ୍ରମଣ ରୋକିବାକୁ ସଟଡାଉନ ନିହାତି ଜରୁରୀ

1,015

କନକ ବ୍ୟୁରୋ: ସଟଡାଉନ ନେଇ ନବୀନଙ୍କ ନିବେଦନ । ସମସ୍ତେ ଘରେ ରହିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୮ ଘଣ୍ଟିଆ ସଟଡାଉନ ପାଇଁ ଭୁବନେଶ୍ୱର, କଟକ ଏବଂ ଭଦ୍ରକବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣ ଏବଂ ଆପଣଙ୍କ ପରିବାର ପାଇଁ ଏହି ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ତେଣୁ ସମସ୍ତେ ସଟଡାଉନକୁ ପାଳନ କରନ୍ତୁ ଏବଂ ଘରେ ରୁହନ୍ତୁ । ଘରେ ରହିଲେ ହିଁ ଆମେ ସମସ୍ତେ ସଂକ୍ରମଣକୁ ରୋକି ପାରିବା ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ କରୋନାର ମୁକାବିଲା ପାଇଁ ରାଜ୍ୟରେ ଲକଡାଉନ ଜାରି କରାଯାଇଛି । ଆଉ ଏହି ଲକଡାଉନକୁ ରାଜ୍ୟବାସୀ ସହଯୋଗର ସହ ପାଳନ କରୁଛନ୍ତି । ତେଣୁ ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି । ତିନୋଟି ସହର କଟକ, ଭୁବନେଶ୍ୱର, ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ସହରରେ ୪୮ ଘଣ୍ଟିଆ ସଟଡାଉନ କରାଯାଇଛି । ଏହି ୪୮ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ଭଲଭାବେ ଠାବ କରି ପାରିବ । କରୋନା ସଂକ୍ରମଣ ରୋକିବାକୁ ଏହା ଖୁବ ଜରୁରୀ ଅଟେ । ନିଜ ପରିବା ଓ ବନ୍ଧୁମାନଙ୍କ ଭଲ ପାଇଁ, ମଙ୍ଗଳ ପାଇଁ ଆମକୁ ବ୍ୟକ୍ତିଗତ ସ୍ତରରେ ଏହି ତ୍ୟାଗ କରିବାକୁ ପଡିବ । ୪୮ ଘଣ୍ଟାର କଷ୍ଟ ସ୍ୱୀକାର କରିବାକୁ ପଡିବ । ଆଉ ଆମର ଏହି ତ୍ୟାଗ ସମସ୍ତଙ୍କୁ ସୁରକ୍ଷିତ ରଖିପାରିବ । ତେଣୁ ଏହି ସଟଡାଉନକୁ ୩ଟି ସହରର ଲୋକେ ପାଳନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।