ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ରହିବ ତାରାତାରିଣୀ । ମାଆଙ୍କ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବଦଳିବ ରୂପରେଖ, ଯାତ୍ରୀଙ୍କ ପାଇଁ ହେବ ସୁବିଧା

570

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜଙ୍କ ପରେ ବଦଳିବ ତାରାତାରିଣୀ ପୀଠର ରୂପରେଖ । ଗଞ୍ଜାମର ପୁରାତନ ଶକ୍ତିପୀଠ ତାରାତାରିଣୀ ମନ୍ଦିରର ହେବ ଉନ୍ନତିକରଣ । ମନ୍ଦିରର ଉନ୍ନତିକରଣ ପାଇଁ ପ୍ରସ୍ତୁତ ପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାରାତାରିଣୀ ମନ୍ଦିରର ଉନ୍ନତିକରଣ ସହ ଯାତ୍ରୀଙ୍କ ପାଇଁ ମଧ୍ୟ ହେବ ସୁବିଧା । ଏନେଇ ପ୍ରସ୍ତାବିତ ଯୋଜନାକୁ ସ୍ୱୀକୃତି ଦେବା ସହ ନିର୍ଦ୍ଧାରିତ ସମୟ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ତେବେ ଏହି ପୁନଃଉନ୍ନତିକରଣ ଯୋଜନାରେ ମନ୍ଦିର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖାଯାଇଛି । ତାରାତାରିଣୀ ମନ୍ଦିରର ଏହି ଯୋଜନାରେ ରହିଛି, ସିଂହଦ୍ୱାର ପ୍ରବେଶ ପଥର ବିକାଶ । ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ, ଯିବାଆସିବା ପାଇଁ ବାଟ, ପାନୀୟ ଜଳ ବ୍ୟବସ୍ଥା, ପାହାଡ ଉପରେ ଥିବା ମନ୍ଦିରର ବିକାଶ ହେବ । ଏଠାରେ ପ୍ରସାଦ ସେବନ ମଣ୍ଡପ, ବ୍ୟାଖ୍ୟାନ କେନ୍ଦ୍ର, ମୁଣ୍ଡନ ହଲ୍ ଓ ଶୌଚାଳୟ ନିର୍ମାଣ ହେବ । ଏଥିସହ ଧ୍ୟାନ କେନ୍ଦ୍ର, ପ୍ରତୀକ୍ଷା ସ୍ଥଳ, ସୁଗମ ଯାତାୟତ ବ୍ୟବସ୍ଥା, ଖାଦ୍ୟ ଦୋକାନ, ଚପଳ ଷ୍ଟାଣ୍ଡ, ପାଦ ଧୋଇବା ବ୍ୟବସ୍ଥା, ଯାତ୍ରୀଙ୍କ ବସିବା ବ୍ୟବସ୍ଥା, ୱାଚ୍ ଟାୱାର, ପୋଲିସ ଆଉଟ୍ ପୋଷ୍ଟ, ଆଶୁ ଚିକିତ୍ସା କେନ୍ଦ୍ର ଆଦି ସ୍ଥାପନ ହେବ ।

ତେବେ ଯୋଜନା ଅନୁସାରେ ମନ୍ଦିରର ଠିକ ପଛପଟେ ଏବଂ ପାହାଡ ଶୀର୍ଷରେ ଧ୍ୟାନ କେନ୍ଦ୍ର ନିର୍ମାଣ ହେବ । ତାରାତାରଣୀ ମନ୍ଦିର ପୁରାତନ ଶକ୍ତି ପୀଠରୁ ଗୋଟିଏ ହୋଇଥିବା ବେଳେ ଏହାକୁ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ଜାନୁଆରୀ ୩୧ ତାରିଖ ଦିନ ୫-ଟି ସଚିବ ତାରାତାରିଣୀ ଗସ୍ତ କରିଥିଲେ ଏବଂ ଏହାର ବିକାଶ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଉ ଏହି ପୀଠର ବିକାଶ ପାଇଁ ସରକାର ଯୋଜନା କରୁଥିବା ସ୍ପଷ୍ଟ କରିଥିଲେ । ତେବେ ସଚିବଙ୍କ ସମୀକ୍ଷା ପରେ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।