ମୁଖ୍ୟମନ୍ତ୍ରୀଙ୍କ ଏକାମ୍ର ପ୍ୟାକେଜ: ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ବଡ ଘୋଷଣା କଲେ ନବୀନ । ବାସଗୃହ ହରାଉଥିବା ଜମି ମାଲିକଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା । ଉଠା ଦୋକାନୀଙ୍କୁ ମିଳିବ ସହାୟତା

475

କନକ ବ୍ୟୁରୋ : ଏକାମ୍ର ଯୋଜନା ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ । ବିସ୍ଥାପିତ ହୋଇଥିବା ପ୍ରତ୍ୟେକ ପରିବାରକୁ ମିଳିବ ଆର୍ଥିକ ସହାୟତା । ଏହି ପ୍ୟାକେଜକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅଧିଗୃହୀତ ହେବାକୁ ଥିବା ଜମିର ଦର ବାବଦକୁ କ୍ଷତିପୂରଣ ଦିଆଯିବ । ଏପରିକି ଯେଉଁମାନେ ଜମି ବଦଳରେ ଜମି ଚାହିଁବେ ସେମାନଙ୍କୁ ଅନ୍ୟତ୍ର ଜମି ମଧ୍ୟ ଯୋଗାଇ ଦିଆଯିବ । ଜମି ଛାଡିଥିବା ବିସ୍ଥାପିତଙ୍କୁ ଅନ୍ୟ ସ୍ଥାନରେ ଯୋଗାଇ ଦିଆଯାଇଥିବା ଜମି ।

ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ଅଞ୍ଚଳର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ଯୋଜନା ଆରମ୍ଭ ହୋଇଛି । ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଞ୍ଚଳର ୬୫ ଏକର ପରିମିତ ଜାଗାରେ ଏହି ବିକାଶ କରାଯିବ ତେଣୁ ସେସବୁ ସ୍ଥାନମାନଙ୍କରେ ଜନବସତି, ଦୋକାନ ବଜାର, ମଠ ଆଦିକୁ ବିସ୍ଥାପନ କରାଯିବ । ଆଉ ଏହି ବିସ୍ଥାପିତଙ୍କ ପାଇଁ ଥଇଥାନ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ବିକାଶ ପାଇଁ ବିସ୍ଥାପିତ ହେବାକୁ ଥିବା ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଏଥିରେ ସ୍ଥିତିବାନ ସତ୍ୱରେ ନିର୍ମିତ ବାସଗୃହ ଗୁଡିକୁ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ଅଧିଗ୍ରହଣ କରିବାର ବ୍ୟବସ୍ଥା ରହିଛି । ଜମି ହରାଉଥିବା ମାଲିକଙ୍କୁ ଜମିର ବଜାର ଦର ବା ସମାନ ପରିମାଣର କ୍ଷତିପୂରଣ ଦିଆଯିବ ।

ଏହା ବ୍ୟତିତ ଯଦି କୌଣସି ବ୍ୟକ୍ତି ଯଦି ଜମି ବଦଳରେ ଜମି ନେବାକୁ ଚାହିଁବେ, ତେବେ ସେମାନଙ୍କୁ ଜମି ଅନ୍ୟତ୍ର ଦିଆଯିବ । ବିକଳ୍ପ ଜମିର ମୂଲ୍ୟ ଅଧିଗୃହିତ ଜମିର ମୂଲ୍ୟଠାରୁ କମ ହେଲେ ନିୟମାନୁଯାୟୀ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ଭାବେ ଦିଆଯିବ । ବିସ୍ଥାପିତ ହେବାକୁ ଥିବା ପରିବାର ଗୁଡିକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ପ୍ରତି ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ । ଜମି ଅଧିଗ୍ରହଣ ହେବା ଦିନଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ ହଜାର ଟଙ୍କା ଲେଖାଏ ମାସିକ ସହାୟତା ଯୋଗାଇ ଦିଆଯିବ ।

ତେବେ ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଥଇଥାନ ଭତ୍ତା ଭାବରେ ଦିଆଯିବ । ସେହିପରି ସ୍ଥିତିବାନ ସତ୍ୱରେ ନିର୍ମିତ ବାଣିଜ୍ୟକ ପ୍ରତିଷ୍ଠାନ ଗୁଡିକୁ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ସିଧାସଳଖ କ୍ରୟ କରାଯିବ । ଦୋକାନ ଘର ମାଲିକମାନଙ୍କୁ ସୋମନଙ୍କର ପରିବହନ ଖର୍ଚ୍ଚ ଏବଂ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ ଲକ୍ଷ ଟଙ୍କା ଏକକାଳିନ ସହାୟତା ଦିଆଯିବ । ଉଠା ଦୋକାନୀଙ୍କୁ ଥାଇଥାନ ନିମନ୍ତେ ଏକକାଳୀନ ସେମାନଙ୍କୁ ୩୦ ହଜାର ଟଙ୍କା ଦିଆଯିବ । ଆଉ ସେମାନଙ୍କୁ ଭେଣ୍ଡିଂ ପ୍ଲାନରେ ସ୍ଥାନ ଆବଣ୍ଟନ କରାଯିବ । ଏହା ସହିତ ସମସ୍ତ ଜମି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଂଚଳରେ ଫଳକରେ ରଖାଯିବ ଘୋଷଣାନାମାରେ କୁହାଯାଇଛି ।

ତେବେ ୬ ମାସ ମଧ୍ୟରେ ପ୍ରକଳ୍ପକୁ ଶେଷ କରିବା ଲକ୍ଷ୍ୟ ଥିବାରୁ ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଯଦି ଲୋକେ ନିଜ ଇଚ୍ଛାରେ ଜମି ପ୍ରଦାନ କରନ୍ତି ତେବେ ତାଙ୍କୁ ୧୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କରାଯିବ ।