ନିଟ ପରୀକ୍ଷାରେ ଓଡିଆ ଭାଷା ସ୍ଥାନ ନ ପାଇବା ନେଇ ଧରାପଡିଲା ସରକାରଙ୍କ ଆଉ ଏକ ମିଛ

47

କନକ ବ୍ୟୁରୋ : ଧରାପଡିଲା ରାଜ୍ୟ ସରକାରଙ୍କର ଆଉ ଏକ ମିଛ । ନିଟ୍ ପରୀକ୍ଷା ଓଡିଆ ଭାଷାରେ କରାନଯିବାକୁ ନେଇ ପ୍ରଶ୍ନ ଉଠାଉଥିବା ରାଜ୍ୟ ସରକାରଙ୍କର ଧରାପଡିଛି ଆଉ ଏକ ଦୋମୁହାଁ ନୀତି । ଗତ ଜୁଲାଇ ମାସରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଇଂରାଜୀରେ ପରୀକ୍ଷା କରାଇବାକୁ କହିଥିଲେ । ଚିଠିରେ ଉଲ୍ଲେଖ ଥିଲା, ଏମବିବିଏସ ଓ ବିଡିଏସ ପାଇଁ ରାଜ୍ୟ କୋଟା ବାବଦ ସିଟ୍ ପାଇଁ ସିବିଏସଇ ପରୀକ୍ଷା କରୁଛି । ରାଜ୍ୟ ନିଜସ୍ୱ ଭାବେ କୈାଣସି ପରୀକ୍ଷା କରୁନି । ଇଂରାଜୀ ଭାଷାରେ ପରୀକ୍ଷା ହେଉଛି । ଏ ବାବଦ ଚିଠି ଗତ ଜୁଲାଇ ୨୭ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲେଖାଯାଇଥିଲା ।

ଖାଲି ଏତିକି ନୁହେଁ, ଗତ ନଭେମ୍ବର ମାସରେ ଯେତେବେଳେ ନିଟରେ ଅନ୍ୟ ଭାଷା ବ୍ୟବହାର ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଥିଲା, ସେତେବେଳେ ମଧ୍ୟ ଓଡିଶା ସରକାର କୈାଣସି ଆପତ୍ତି ଉଠାଇନଥିଲେ । ହିନ୍ଦୀ, ଇଂରାଜୀ, ଆସାମିଜ,ବେଙ୍ଗଲୀ, ଗୁଜୁରାଟି, ମରାଠି, ତାମିଲ, ତେଲୁଗୁ ଭାଷାରେ ପରୀକ୍ଷା କରିବାକୁ ନେଇ ଯେତେବେଳେ ଏଜେଣ୍ଡା ବାବଦରେ ଆଲୋଚନା ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ସରକାର ଆପତ୍ତି ଉଠାଇନଥିଲେ । ଏହାରି ଭିତରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କର ଦୋମୁହାଁ ନୀତିକୁ ନେଇ ପ୍ରଶ୍ନ ଉଠାଇଛି । କହିଛି, ପ୍ରସଙ୍ଗକୁ ଜାଣିଶୁଣି ରାଜନୀତିର ରଙ୍ଗ ଦିଆଯାଉଛି । ଯଦି ପୂର୍ବରୁ ରାଜ୍ୟ ସରକାର ଆପତ୍ତି ଉଠାଇନଥିଲେ, ତେବେ ବର୍ତମାନ କାହିଁକି ପ୍ରସଙ୍ଗକୁ ନେଇ ବିବାଦ ବଢାଉଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଲେଖି ଓଡିଆ ଭାଷା ସାମିଲ ନହେବା ନେଇ ଉଦବେଗ ପ୍ରକାଶ କରିଥିଲେ । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତେବେ ବିଜେପିର ଏହି ନୂଆ ତଥ୍ୟ ବିଜେଡିକୁ ଅଡୁଆ ଭିତରକୁ ଟାଣିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –