ମେଡ଼ିକାଲ ପ୍ରବେଶିକାରେ କଟକଣାକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ନବୀନ

26

କନକ ବ୍ୟୁରୋ : ଏନ୍ଇଇଟି ପରୀକ୍ଷା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ପରୀକ୍ଷାର୍ଥୀଙ୍କ ପାଇଁ ଏନ୍ଇଇଟିରେ ସର୍ବାଧିକ ୩ଥର ବ୍ୟବସ୍ଥାକୁ ଏହି ଚିଠି ମାଧ୍ୟମରେ ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିଷ୍ପତି ନେବା ପୂର୍ବରୁ ରାଜ୍ୟ ସହ ଆଲୋଚନା କରା ଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ବ୍ୟବସ୍ଥା ମେଡିକାଲ ଆଶାୟୀ ଛାତ୍ରଛାତ୍ରୀଙ୍କୁ ନିରାଶ କରିବ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଇଛନ୍ତି । ପରୀକ୍ଷାର୍ଥୀଙ୍କ ବୃହତର ସ୍ୱାର୍ଥକୁ ଦେଖି ଏହି ନିଷ୍ପତିକୁ ବାତିଲ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ପ୍ରକାଶ କରିଛନ୍ତି । ତେବେ ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଭାଷାକୁ ସାମିଲ କରାଯାଇଥିବାରୁ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।