‘ମୁଖ୍ୟମନ୍ତ୍ରୀ କାରିଗର ସହାୟତା ଯୋଜନା’ ଘୋଷଣା କଲେ ନବୀନ ! କାରିଗରଙ୍କୁ ମାସିକ ୮୦୦ ଟଙ୍କାର ସହାୟତା, ଜାଣନ୍ତୁ କେମିତି ହେବେ ଉପକୃତ ।

490

କନକ ବ୍ୟୁରୋ : ହସ୍ତଶିଳ୍ପ କାରିଗର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୁଖ୍ୟମନ୍ତ୍ରୀ କାରିଗର ସହାୟତା ଯୋଜନା’ ଘୋଷଣା କରିଛନ୍ତି । ଏହି ଯୋଜନା ଅନୁଯାୟୀ, ବାର୍ଷିକ ୧ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା କାରିଗର ମାନଙ୍କୁ ମାସିକ ୮୦୦ ଟଙ୍କା ଲେଖାଏଁ ସହାୟତା ମିଳିବ । ୮୦ ବର୍ଷରୁ ଉଦ୍ଧ୍ୱର୍ କାରିଗର ମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ମିଳିବ । ଏଥିପାଇଁ ସର୍ବନିମ୍ନ ୧୦ ବର୍ଷ କାରିଗର ଭାବେ କାର୍ଯ୍ୟ କରିଥିବା ଦରକାର । ତେବେ ହିତାଧିକାରୀ ଚୟନ ନିମନ୍ତେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧିନରେ ଏକ ଚୟନ କମିଟି ଗଠନ କରାଯିବ । ହିତାଧିକାରୀ ଚୟନ ପରେ ବିଡିଓଙ୍କ ଜରିଆରେ ସହାୟତା ପ୍ରଦାନ କରାଯିବ ।

ଓଡିଶାର ହସ୍ତଶିଳ୍ପ ସାରା ବିଶ୍ୱରେ ଓଡିଶା ପାଇଁ ସୁନାମ ଆଣିଛି । ଏଥିରେ କାରିଗର ମାନଙ୍କ ସୃଜନଶୀଳତା ସହିତ ଆମ ମହାନ୍ ସଂସ୍କୃତି ଓ ପରମ୍ପରାର ସୁନ୍ଦର ଉପସ୍ଥାପନା ମଧ୍ୟ ଦେଖିବାକୁ ମିଳିଥାଏ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଅନେକ ସମ୍ମାନ ମଧ୍ୟ ପ୍ରଦାନ କରୁଛନ୍ତି । କଳା ପ୍ରତି ସମର୍ପିତ ଏହି କାରିଗର ମାନଙ୍କ ମଧ୍ୟରେ ଅନେକ ଆର୍ଥିକ ଅସ୍ୱଚ୍ଛଳତା ମଧ୍ୟରେ ରହିଛନ୍ତି । ଏହି କାରିଗରମାନଙ୍କ ପାଇଁ ନୂଆ ସହାୟତା ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।