କଟକରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ! ଏସସିବି ପରିସରରେ ନର୍ସଂ କଲେଜର ନୃତନ ଗୃହ ଉଦଘାଟନ

44

କନକ ବ୍ୟୁରୋ : କଟକରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସସିବି ପରିସରରେ ନର୍ସଂ କଲେଜର ନୃତନ ଗୃହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଡିଟୋରିୟମ ଓ ହଷ୍ଟେଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପୂର୍ବରୁ ଗତକାଲି ବିଜେପି ଯୁବ ମୋର୍ଚ୍ଚା କର୍ମୀ ଉଦଘାଟନ କରିଥିଲେ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର କର୍ମୀ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଟକ ସିଡିଏରେ କଳାପତାକା ଓ ଚୁଡି ପ୍ରଦର୍ଶନ କରିଛି ବିଜେପି । ଅନ୍ୟପଟେ ପୁଲିସ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି ବିଜେପି କର୍ମୀ । ବିଜେପି କର୍ମୀଙ୍କୁ ରୋକିବାକୁ ଯାଇ କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି ।

ସେପଟେ ବିଜେପିର ବିରୋଧ ପ୍ରଦର୍ଶନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି, ବିଜେପି ହତାଶ ହୋଇ ଏଭଳି କାମ କରିଛି । ବିଜେପି ନେତା ମନ୍ତ୍ରୀ ଥିବାବେଳେ କଟକ ପାଇଁ କିଛି କରିନାହାନ୍ତି । କେବଳ ନିଜ ସମ୍ପତି ବଢାଇଛନ୍ତି । ଦଳକୁ ବଂଚାଇବା ପାଇଁ ବିଜେପି ଏପରି କରୁଛି । ବିଜେପିର ଏଭଳି କାମକୁ ନିନ୍ଦା କରୁଛି ବୋଲି କହିଛନ୍ତି ଦେବାଶିଷ ।

ଅନ୍ୟପଟେ ଭୁବନେଶ୍ୱର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶପଥ ଉଦଘାଟିତ ହୋଇଛି । ପ୍ରବେଶ ପଥ ସହ ରିଜର୍ଭେସନ କାଂଉଟରକୁ ଉଦଘାଟନ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଜନ ଗୋହେନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏହା ହେଉଛି ମୋଦିଙ୍କ ଓଡିଶାକୁ ୨୦୧୭ର ଶେଷ ଭେଟି । ତେବେ ଆଜି ଏହି ଉତ୍ସବରେ ବିଜେଡିର କୌଣସି ନେତା କିମ୍ବା ରାଜ୍ୟର କୌଣସି ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା ।