ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ! ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କଲେ ନବୀନ

166

କନକ ବ୍ୟୁରୋ : ଓଡିଆ ନୂତନ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାବିଷୁବ ସଂକ୍ରାନ୍ତି ଓ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ମହାପ୍ରଭୁ ଜଗନ୍ନାଥ କୃପାରୁ ନୂଆ ବର୍ଷ ଓଡିଶାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ନବୀନ ।

ସେପଟେ ଆଜି ମହାବିଷୁବ ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଜିଠାରୁ ଆରମ୍ଭ ହେଉଛି ଓଡିଆ ନୂଆ ବର୍ଷ, ପ୍ରଚଳିତ ହେବ ନୂଆ ପାଞ୍ଜି । ଏଥିପାଇଁ ଚଳ ଚଂଚଳ ଶ୍ରୀକ୍ଷେତ୍ର । ଓଡିଆ ନବ ବର୍ଷର ଶୁଭକାମନା କରି ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଉଛନ୍ତି । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଅନ୍ୟପଟେ ମହାବୀର ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ପୁରୀରେ ଜାଗା ଆଖାଡାରେ ପଣା ସଂକ୍ରାନ୍ତି ଧୁମଧାମରେ ପାଳନ କରାଯାଉଛି । ସାହିର ଯୁବକମାନେ ସକାଳୁ ସକାଳୁ ଉଠି ମହାବୀରଙ୍କ ପୂଜାର୍ଚ୍ଚନା କରିବା ସହ ମଲ୍ଲ, କୁସ୍ତି କରିଥାନ୍ତି । ଆଜିଠାରୁ ନବାଗତ କୁସ୍ତି ବିଦ୍ୟାର ଶୁଭାରମ୍ଭ କରିଥାନ୍ତି, ତେଣୁ ଆଖାଡାରେ ଦେଖିବାକୁ ମିଳିଛି ଭିଡ ।