ଆଜି ଠାରୁ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅଧିକ ଅନୁଦାନ ପ୍ରସଙ୍ଗ ଉଠାଇ ପାରନ୍ତି ନବୀନ

151

କନକ ବ୍ୟୁରୋ : ସରକାର ଗଠନ ପରେ ପ୍ରଥମ ଥର ପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ସପ୍ତାହ ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବା ସୂଚନା ମିଳିଛି । ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନ ସରିବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଛଡା ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ ନୀବନ । ସେହିପରି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୫ ତାରିଖରେ ନୀତି ଆୟୋଗ ସାଧାରଣ ପରିଷଦ ବୈଠକରେ ମଧ୍ୟ ସାମିଲ ହେବେ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କୁ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ କରିପାରନ୍ତି ।

ଫୋନି ପରବର୍ତି ପରିସ୍ଥିତିରେ ତୁରନ୍ତ କ୍ଷତିପୂରଣ ଉପରେ ଆଲୋଚନା ହୋଇପାରେ । ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ସାମିଲ ନେଇ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ପାରନ୍ତି । ଏହି ଆଲୋଚନା ବେଳେ ଲୋକସଭା ଉପବାଚସ୍ପତି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇପାରେ । ଏହାଛଡା ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ଓ ଭିତିଭୂମି ନିର୍ମାଣ ପାଇଁ ସହାୟତା, କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅଧିକ ଅନୁଦାନ, କୋଇଲା ରୟାଲଟିରେ ସଂଶୋଧନ ଆଦି ଦାବି ସ୍ମାରକପତ୍ର ଜରିଆରେ ଦୋହରାଇପାରନ୍ତି ନବୀନ ପଟ୍ଟନାୟକ । ନୀତି ଆୟୋଗର ବୈଠକରେ ସାମିଲ ହେବା ପରେ ୧୫ ତାରିଖରେ ଓଡିଶା ଫେରିଆସିବେ ମୁଖ୍ୟମନ୍ତ୍ରୀ ।