ବାରିପଦାରେ ମିଶନ ଶକ୍ତି ମହାସମାବେଶ ! ଛଉପଡିଆରେ ୧୧ଟି ପ୍ରକଳ୍ପର ଉଦଘାଟନ ଓ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

109

କନକ ବ୍ୟୁରୋ : ମୟୂରଭଂଜ ଗସ୍ତ କରି ୧୧ଟି ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ । ବାରିପଦା ଛଉପଡିଆରେ ମିଶନ ଶକ୍ତି ମହାସମାବେଶରେ ଉଦଳା ୧୯ ନମ୍ବର ରାଜ୍ୟ ରଜପଥ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତକତପୁର ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳର ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ୍ କରିଛନ୍ତି ନବୀନ ।

ଏହାସହ ବୁଢାବଳଙ୍ଗ ନଦୀ ଉପରେ ସେତୁ, ବାରିପଦା-ପ୍ରତାପପୁର-ବଡସାହି-ମାଣତ୍ରୀ ରାସ୍ତାର ଉରା ନାଳ ଉପରେ ସେତୁ, କପ୍ତିପଦା ବଡଗୁଡୁଗୁଡିଆ ଏବଂ ଶୁଳିଆପଦା ବ୍ଲକର ଧାତିକାରେ ୨ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାସହ ମିଶନ ଶକ୍ତି ଯୋଜନାରେ ୨୦ ହଜାର୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ସିଡମନି ସହାୟତା, ୨୬ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଂଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ଗୁଡିକୁ ସମୁଦାୟ ୪୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର ।