ଭୁବନେଶ୍ୱରରେ ପହଂଚିଲେ ‘ଶ୍ରେଷ୍ଠ ପ୍ରଶାସକ’ ନବୀନ ପଟ୍ଟନାୟକ!

22

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଂଚିଛନ୍ତିି ‘ଶ୍ରେଷ୍ଠ ପ୍ରଶାସକ’ । ଆଉଟଲୁକ୍‌ ପକ୍ଷରୁ ଦିଲ୍ଲୀରେ ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିବାନବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡିର ହଜାର ହଜାର କର୍ମୀ ନବୀନଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଦେଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ନବୀନଙ୍କୁ ସ୍ୱାଗତ କରିବା ପାଇଁ ପାଖା ପାଖି ୩୦ହଜାର ଦଳୀୟ ସମର୍ଥକ ବିମାନବନ୍ଦର ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛ। ‘ଆଉଟଲୁକ୍‌ ସ୍ପିକ୍‌ ଆଉଟ୍‌ ଆଓ୍ଵାର୍ଡ’ରେ ‘ଶ୍ରେଷ୍ଠ ପ୍ରଶାସକ’ ବିଭାଗରେ ଦେଶର ୬ଜଣ ମୁଖ୍ୟମନ୍ତ୍ରୀଙ୍କୁ ବିଚାର ପାଇଁ ନିଆଯାଇଥିଲା।

ନବୀନଙ୍କ ବାଦ୍ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ତାଲିକାରେ ସ୍ଥାନ ପାଇଥିଲେ । ଅନଲାଇନ୍ ଭୋଟିଂ ମାଧ୍ୟମରେ ଶ୍ରେଷ୍ଠ ପ୍ରଶାସକ ଚୟନ କରାଯାଇଥିଲା । ଅନ୍ୟ ପାଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶ୍ରେଷ୍ଠ ପ୍ରଶାସକ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟର ଅର୍ଥନୈତିକ ବିକାଶ, ସାମାଜିକ ନିରାପତ୍ତା, ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ, ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି, ପ୍ରଶାସନରେ ସ୍ୱଚ୍ଛତା ଆଦି କ୍ଷେତ୍ରକୁ ବିଚାରକୁ ନିଆଯାଇ ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ମନୋନୟନ ତାଲିକାରେ ରଖାଯାଇଥିଲା ।

ଓଡ଼ିଶାରେ ଶାସନ ଡୋରି ଧରିଲା ପରଠାରୁ ଜାତୀୟ ଗଣମାଧ୍ୟମରେ ନିଜ ଭାବମୂର୍ତ୍ତି ସବୁବେଳେ ଉଜ୍ଜ୍ୱଳ ରଖିବାକୁ ନବୀନ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଚତୁର୍ଥ ପାଳି ଶାସନକୁ ଆସିଲା ପରେ ଏହା ଉପରେ ସେତେଟା ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଝଟ୍କା ପାଇଲା ପରେ ଜାତୀୟ ସ୍ତରରେ ନବୀନଙ୍କ ଛବି କିଛିଟା ମଳିନ ହୋଇପଡ଼ିଲା । ଏହା ପରେ ନବୀନ ତାଙ୍କ ପୁରୁଣା ଷ୍ଟାଇଲରେ ପୁଣି ଜାତୀୟ ଗଣମାଧ୍ୟମରେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏକ ଇଂରାଜୀ ପତ୍ରିକାର କଭର୍ ପୃଷ୍ଠାରେ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଲେ । ଏବେ ଆଉଟଲୁକ୍ ପତ୍ରିକା ପକ୍ଷରୁ ସମ୍ମାନ ପାଇଲା ପରେ ଜାତୀୟ ସ୍ତରରେ ନିଜର ଦକ୍ଷତା ଓ ସ୍ୱଚ୍ଛତାକୁ ପ୍ରମାଣିତ କରିବାର ସୁଯୋଗ ମିଳିବ ବୋଲି ବିଜେଡି ପକ୍ଷରୁ ଆକଳନ କରାଯାଉଛି ।