ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଂଚଳର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ : ସମୀକ୍ଷା ପରେ କରିବେ ପ୍ୟାକେଜ ଘୋଷଣା

23

କନକ ବ୍ୟୁରୋ : ତିତଲି ପ୍ରଭାବିତ ଅଂଚଳର ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଆକାଶ ମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ଏହି ଜିଲ୍ଲାର ବିଭିନ୍ନ ଅଂଚଳ ଆକାଶ ମାର୍ଗରୁ ଦେଖିଛନ୍ତି । ଏହା ପରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଂଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଫେରିବା ପରେ ସେ ସମୀକ୍ଷା କରିବା ସହ ପ୍ରଭାବିତ ଅଂଚଳର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ମନ୍ତ୍ରୀ ସ୍ତରୀୟ କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି । ସେମାନେ ପ୍ରଭାବିତ ଅଂଚଳରେ ସ୍ଥିତି ପରଖିବେ ।

ସେପଟେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ତିତଲି ପ୍ରଭାବିତ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଉଦ୍ଧାର ଓ ରିଲିଫ କାମ କେମିତି ଚାଲିଛି ସେନେଇ ସେ ବୁଝିଛନ୍ତି । ଦୁର୍ଗମ ଅଂଚଳକୁ ହେଲିକପ୍ଟର ଯୋଗେ ରିଲିଫ ପଠାଯାଉଛି ଏବଂ ଆସନ୍ତା ୭ ଦିନ ରିଲିଫ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଅନ୍ୟପଟେ ସାତ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ ହେବ ଏବଂ ପାଣି ସମସ୍ୟାର ତୁରନ୍ତ ଦୂର ହେବ ବୋଲି ସମୀକ୍ଷା ପରେ ଆଦିତ୍ୟ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଆଜି ସଂଧ୍ୟା ସୁଦ୍ଧା ଆସ୍କା, ପୁରୁଷୋତମପୁରକୁ ବିଦ୍ୟୁତ ସଂଯୋଗ ହେବ । ଅନ୍ୟପଟେ ଗଜପତି ପାହାଡ ଧସିବା ସ୍ଥଳକୁ ଉପଜିଲ୍ଲାପାଳ, ଏସପି ଓ ଡାକ୍ତରୀ ଦଶ ଯାଉଥିବା ନେଇ ସେ ସୂଚନା ଦେଇଛନ୍ତି । ତେବେ ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇ ରହିଥିବାରୁ ଘଟଣାସ୍ଥଳରେ ପହଂଚିବା ବିଳମ୍ଭ ହେଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।