ଆଠମଲ୍ଲିକ ବସ୍ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

35

ଅନୁଗୁଳ : ଆଠମଲ୍ଲିକ ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ହେଲିକପ୍ଟର ଯୋଗେ ଏସସିବି ପଠାଯିବ ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ଅନୀଲ କୁମାର ସାମଲ ।

ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଜିଲ୍ଲାପାଳ । ସେପଟେ କଂଟ୍ରୋଲ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୧୪ ଓ ମେଡିକାଲରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରେ ୪ଜଣ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଥିବା ସୂଚନା ମିଳିଛି । ଆହତ ୩୦ଜଣଙ୍କୁ ଆମ୍ବୁଲାନ୍ସ ଜରିଆରେ ଆଠମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ଓ ଅନୁଗୁଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ମୃତାହତଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି ।