ପ୍ରତିଭାକୁ ସ୍ୱୀକୃତି ଦେଲେ ମୁଖ୍ୟମନ୍ତ୍ରୀ ! ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି, ଭାଷାବୃତ୍ତି ଓ ଲାପଟପ୍ ପ୍ରଦାନ ।

125

କନକ ବ୍ୟୁରୋ : ମେଧାବୀଙ୍କ ପାଇଁ ବଡ଼ ଧରଣର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ଓଡ଼ିଆ ଭାଷାବୃତି, ମୁଖ୍ୟମନ୍ତ୍ରୀ ମେଧାବୃତ୍ତି, ଅଭିଭାବକ ଓ ଉତ୍କୃଷ୍ଟ ବିଦ୍ୟାଳୟ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଓଡ଼ିଆ ଭାଷାରେ ଅଧିକ ନମ୍ବର ରଖିଥିବା ୩ ହଜାର ୫୪୯ ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାବୃତି ଦିଆଯିବା ପ୍ରକିୟା ଆଜିଠାରୁ ଆରମ୍ଭ ହୋଇଛି । ଏହା ସହ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ୩୫ ହଜାର ୪୯୦ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହୋଇଛି । ସେହିପରି ୧ ହଜାର ୬୧ ଶ୍ରେଷ୍ଠ ବିଦ୍ୟାଳୟ ଏବଂ ବିଦ୍ୟାଳୟର ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅଭିଭାବକ ଓ ଉତ୍କୃଷ୍ଟ ବିଦ୍ୟାଳୟ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ବାପା ମାଆଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ୨୦୧୮-୧୯ ବର୍ଷ ପାଇଁ ଯୁକ୍ତ ୨ ଉତ୍ତୀର୍ଣ୍ଣ ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଲାପ୍ଟପ୍ । ସୂଚନାଯୋଗ୍ୟ, ଓଡିଆ ଭାଷାବୃତ୍ତି କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବା ପ୍ରତ୍ୟେକ ଛାତ୍ର ପିଛା ୫ ହଜାର ଟଙ୍କା ହିସାବରେ ୩,୫୪୯ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯାଉଛି । ଏହି ପୁରସ୍କାର ବାବଦରେ ୧.୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ଥିବା ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପିତାମାତାଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ ।