ବଜାରରେ ଆଳୁ-ପିଆଜ ଟକ୍କର । କିନ୍ତୁ ଚାଷ ପାଇଁ ମନବଳାଉ ନାହାନ୍ତି କୋରାପୁଟ ଚାଷୀ, ସାମ୍ନାକୁ ଆସିଲା ସାଙ୍ଘାତିକ ସତ !

515

କନକ ବ୍ୟୁରୋ: ସାଧନ ଅଛି ସହଯୋଗ ନାହିଁ । ଚାଷ ଅଛି ସାଇତି ରଖିବାକୁ ଜାଗା ନାହିଁ । ପିଆଜ ହେଉ କି ଆଳୁ, ଚାଷ ପାଇଁ ଅମଙ୍ଗ କୋରାପୁଟ ଜିଲ୍ଲାର ଚାଷୀ । କାରଣ ରଖିବା ପାଇଁ ସାଧନ ନାହିଁ । ଯେଉଁଠି ଆଳୁ ଚାଷ ହେଉଛି ସେଠାରେ ରଖିବା ପାଇଁ କୋଲ୍ଡ ଷ୍ଟୋର ନାହିଁ । ଯେଉଁଠି କୋଲ୍ଡ ଷ୍ଟୋର ଅଛି ସେଠାରେ ଆଳୁ ନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳାରେ ।

ଆଳୁ-ପିଆଜ । ଗରିବର ପଖାଳ କଂସାରୁ ଆରମ୍ଭ କରି ଧନୀଙ୍କ ମଟନ-ଚିକେନ୍ ସବୁଠି ନିହାତି ଆବଶ୍ୟକ ସାମଗ୍ରୀ । ହେଲେ ଏବେ ଏହି ୨ଟି ପରିବା ବଜାରରେ ଜଣେ ଅନ୍ୟଜଣଙ୍କୁ ଟକ୍ଟର ଦେଉଛନ୍ତି । ପିଆଜ ଦର ୧୦୦ରୁ ୬୦-୭୦କୁ ଖସିଆସିଥିବା ବେଳେ ଆଳୁ ଛୁଇଁଲାଣି ୩୦-୪୦ । ୩ ବର୍ଷ ପୂର୍ବରୁ ବି ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା । ଏହାପରେ ଆଳୁ-ପିଆଜ ଚାଷକୁ ଗୁରୁତର ସହ ନେଇଥିଲେ ସରକାରଙ୍କ କୃଷି ବିଭାଗ । ଜିଲ୍ଳା ସ୍ତରରେ ଉତ୍ପାଦିତ ଆଳୁକୁ ରଖିବା ପାଇଁ ଶୀତଳ ଭଣ୍ଡାର ନିର୍ମାଣ ହୋଇଥିଲା । ଚାଷୀଙ୍କୁ ସଚେତନ କରାଇବା ପାଇଁ ଅଂଟା ଭିଡ଼ିଥିଲେ ସରକାର । ହେଲେ ବାସ୍ଥବ ଚିତ୍ର କିନ୍ତୁ ପୁରା ଓଲଟା । କୋରାପୁଟ ଜିଲ୍ଳାରେ ଯେଉଁଠି ଆଳୁ ଚାଷ ହେଉଛି ସେଠାରେ ଶୀତଳଭଣ୍ଡାର ନାହିଁ, ଆଉ ଯେଉଁଠି ଚାଷ ନାହିିଁ ସେଠାରେ କୋଲ୍ଡ ଷ୍ଟୋର ଅଛି । ତେଣୁ ଅନୁକୂଳ ଜଳବାୟୁ ଥାଇ ବି ଆଳୁ-ପିଆଜ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଚାଷୀ ।

କୋରାପୁଟ ଜିଲ୍ଲାରେ ୨ଟି ଶୀତଳ ଭଣ୍ଡାର ତିଆରି ହୋଇଛି । ଆଉ ଗୋଟିଏ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଅଛି । ଜିଲ୍ଲାରେ ମୋଟ ୬୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଛି । ୯୦ ହେକ୍ଟରରେ ଆଳୁ ଚାଷ ହୋଇଛି । କିନ୍ତୁ ଫସଲ ଅମଳ ପରେ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ସସ୍ତାରେ ବିକ୍ରୀ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଯେଉଁ ଅଂଚଳରେ ଚାଷ ହେଉଛି, ସେଠାରେ ଶୀତଳ ଭଣ୍ଡାର ନାହିଁ । ଘର ଠାରୁ ବହୁ ଦୂରରେ ଶୀତଳ ଭଣ୍ଡାର ଥିବାରୁ ଗାଡି ଭଡା କରି ଫସଲ ନେବାକୁ ଅମଙ୍ଗ ହେଉଛନ୍ତି ଚାଷୀ । ଆଉ ଯେଉଁଠି ହୋଇଛି ସେଠାକାର ଲୋକ ଆଳୁ ଚାଷ କରୁନଥିବାରୁ ଖାଲି ପଡିଛି ଶୀତଳଭଣ୍ଡାର । ଆଳୁ-ପିଆଜ ଚାଷକୁ ଆଗକୁ ନେଇ ରାଜ୍ୟର ଆବଶ୍ୟକତା ପୂରଣ ପାଇଁ ଯୋଜନା ହେଉଛି । କିନ୍ତୁ ସଠିକ ସ୍ଥାନ ନିରୁପଣ ନ କରି ଯୋଜନାର କାର୍ଯ୍ୟକାରୀତା କରିବାରୁ ଏହା ଲୋକଙ୍କ କାମରେ ଆସୁନାହିଁ ।