ଦୁର୍ବଳ ହେଲା ବାତ୍ୟା ପାଥେଇ । ପାଗରେ ଆସିଲା ପରିବର୍ତ୍ତନ, କାକିନାଡାରେ ଖରା, ଭୁବନେଶ୍ୱରରେ ବର୍ଷା

392

କନକ ବ୍ୟୁରୋ : ବାତ୍ୟା ପେଥାଇ ଛୁଇଁ ଥିବା ଆନ୍ଧ୍ର ପ୍ରଦେଶରେ ଏବେ ବଦଳିଛି ପାଗ । ସ୍ୱାଭାବିକ ହେଉଛି ଜୀବନ ଯାତ୍ରା । ଏଠାରେ ଏବେ ଆକାଶ ସଫା ହୋଇ ପାଗରେ ପରିବର୍ତ୍ତନ ହେଇଛି । ସେପଟେ ଓଡିଶାର ବିଭିନ୍ନ ଅଂଚଳରେ ଏବେ ବି ପାଗ ମେଘୁଆ ରହିଛି । ଭୁବନେଶ୍ୱରରେ ଗତକାଲି ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି । ପାଗ କୋହଲା ରହିବା ସହ ଶୀତ ବଢିଛି । ବଲାଙ୍ଗିରରେ ସର୍ବାଧିକ ୯୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ସହ ଦୁର୍ବଳ ହୋଇଛି ବାତ୍ୟା ପେଥାଇ ।

ଭୁଭାଗ ଛୁଇଁବା ପରେ ଏହା ଏବେ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ ବଙ୍ଗୋପସାଗରର ଉତର ପଶ୍ଚିମ ତଥା ଓଡିଶା ଉପକୂଳରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୧୨ ଘଂଟାରେ ଏହା ଅଧିକ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡିଶାରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ଉତର ଓଡିଶାରେ ଲଗାଣ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତା ୧୨ ଘଂଟା ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଅନ୍ୟପଟେ ବାତ୍ୟା ପେଥାଇ ଯୋଗୁଁ ଅଦିନିଆ ବର୍ଷା ଫଳରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଚାଷ ଜମି, ମଣ୍ଡି ଓ ଖଳାରେ ପଡିଛି ଧାନ । କଳାହାଣ୍ଡି ଜୟପାଟଣାରେ ବର୍ଷାରେ ଭିଜୁଛି ମଣ୍ଡିରେ ଗଦା ହୋଇଥିବା ଧାନ । ବର୍ଷାରେ ଭିଜିଛି ଧାନ । ଆଉ ଏହାକୁ ଜଗି ରହିଛି ଚାଷୀ । ବର୍ଷା ଆଶଙ୍କାରେ ଧାନକୁ ଖଳାକୁ ଆଣିଥିଲା ଚାଷୀ । କିନ୍ତୁ ଏବେ ବର୍ଷା ଦାଉ ସାଜିଛି । ସେପଟେ ସମାନ ଦଶା ଭୋଗୁଛନ୍ତି ବାଙ୍କି ଅଂଚଳର ଚାଷୀ । ଏବେ ଧାନ କଟା ଚାଲିଥିବା ସମୟରେ ଏହି ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କ ସବୁ ଆଶାକୁ ଧୋଇନେଇଛି । ଯାହାକୁ ନେଇ ଚିନ୍ତା ପଡିଛି ଚାଷୀ । କଟକ ଜିଲ୍ଲା ବାଙ୍କି ବ୍ଲକରେ ଏକର ଏକର ଚାଷ ଜମିରେ ବର୍ଷା ପାଣି ବୁଡି ରହିଛି । ଧାନ ଓ ପରିବା ଫସଲରେ ପାଣି ପଶିବା ଫଳରେ ଫସଲ ନଷ୍ଟ ହୋଇଛି । ସେପଟେ କଟାଯାଇଥିବା ଧାନକୁ ଚାଷୀ ଖଳାରେ ରଖିଥିବା ବେଳେ ଏବେ ବର୍ଷାରେ ସେସବୁ ଓଦା ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ବାତ୍ୟା ପାଥେଇ ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ବର୍ଷାରେ ଫସଲ ନଷ୍ଟ ହୋଇଥିଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବ । ବୀମା କରିଥିବା ଚାଷୀ ମାନଙ୍କୁ ସହାୟତା ମିଳିବ । ଅନ୍ୟମାନଙ୍କୁ ଏସଡିଆରଏଫ ଫଣ୍ଡ ଅନୁଯାୟୀ ସହାୟତା ମିଳିବ ବୋଲି ଏସଆରସି ସୂଚନା ଦେଇଛନ୍ତି । କ୍ଷତିପୂରଣ ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଏହାକୁ ବିଶ୍ଲେଷଣ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ।