ପୋଲ ପାଇଁ ପାଲା ! ତୁଟୁନି କୁଶେଇ ସେତୁ କଳି, ପୁଲିସ୍ – ଜନତା ମୁହଁମୁହିଁ

34

କେଉଁଝର : ବେଲବାହାଳିରେ କୁଶେଇ ସେତୁ ନିର୍ମାଣକୁ ନେଇ ଉତ୍ତେଜନା । ଘଟଣାସ୍ଥଳରେ ପୁଲିସ–ଜନତା ମୁହାଁମୁହିଁ ହୋଇଛନ୍ତି । କେଉଁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ କୁଶେଇ ନଦୀ ଉପରେ ସେତୁ ନିର୍ମାଣକୁ ନେଇ ଆଜି ପୁଲିସ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଜୋରଦାର ଉତ୍ତେଜନା ଦେଖା ଦେଇଛି ।

ପୂର୍ବରୁ ଉତ୍ତେଜନା ପରିସ୍ଥିତି କାରଣରୁ ସେତୁ ନିର୍ମାଣ କାମ ବନ୍ଦ ରହିଥିବା ବେଳେ ଗତକାଲି ଠାରୁ ପ୍ରଶାସନ ପୁଣି ଥରେ ସେତୁ ନିର୍ମାଣ କାମ ଆରମ୍ଭ କରିଥିଲା । ଉତ୍ତେଜନା ଆଶଙ୍କା ଥିବାରୁ ଘଟଣାସ୍ଥଳରେ ୨୨ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଥିଲା । ତେବେ ଗତକାଲି ଗ୍ରାମବାସୀଙ୍କ ପକ୍ଷରୁ କୌଣସି ବିରୋଧ ଦେଖିବାକୁ ମିଳି ନଥିଲା । ଆଜି ସକାଳୁ ମଧ୍ୟ କାମ ଜାରି ରହିଥିଲା । ମଧ୍ୟାହ୍ନ ସୁଦ୍ଧା ବି କୌଣସି ବିରୋଧାଭାସର ସୂଚନା ମିଳି ନଥିଲା ।

ହେଲେ ମଧ୍ୟାହ୍ନ ଭୋଜନ ପରେ ପୁଣି ଥରେ କାମ ଆରମ୍ଭ ହେବା ପରେ ହଠାତ୍ ସଂଘବଦ୍ଧ ହୋଇ ସ୍ଥାନୀୟ ଗ୍ରାମବାସୀ ଆକ୍ରମଣ କରିବା ସହ ପୁଲିସ ଉପରକୁ ଢେଲାପଥର ମାଡ କରିଥିଲେ । ଜବାବରେ ପୁଲିସ ମଧ୍ୟ ଲାଠି ଚାର୍ଜ କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

୨ ମାସ ତଳେ ଏହି ସେତୁ ନିର୍ମାଣକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ସେବେଠାରୁ ସେତୁ ନିର୍ମାଣ ବନ୍ଦ ରହିଥିବା ବେଳେ ଗତକାଲିଠାରୁ ପୁଣି ପ୍ରଶାସନ ପକ୍ଷରୁ କାମ ଆରମ୍ଭ ହୋଇଥିଲା ।