ରାଜରାସ୍ତାରେ ରାଜନୀତିର ରକ୍ତାକ୍ତ ଯୁଦ୍ଧ ! ସିଏମସି ଅଫିସ ଘେରାଉ ବେଳେ ବିଜେପି କର୍ମୀ-ପୁଲିସ ଧସ୍ତାଧସ୍ତି, ଆଡିସନାଲ ଡିସିପିଙ୍କ ମୁଣ୍ଡ ଫାଟିଲା

31

କନକ ବ୍ୟୁରୋ : ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇର ଦାବି କରୁଥିବା ରାଜନୈତିକ ଦଳ ଗୁଡ଼ିକ ପ୍ରତିନ୍ଦ୍ୱନ୍ଦିତାର କଥା ଉଠିଲେ କେଉଁ ସ୍ତରକୁ ଯାଇ ପାରନ୍ତି ତାର ଏକ ଉଦହାରଣ ଦେଖିବାକୁ ମିଳିଛି କଟକ ସହରରେ । କଟକ ମହାନଗର ନିଗମର ବିଭିନ୍ନ ସମସ୍ୟା ନେଇ ପ୍ରତିବାଦ କରୁଥିବା ବିଜେପି ଆଜି ପୁଲିସ ସହ ମୁହାଁମୁହିଁ ହୋଇଛି । ଯାହା ରକ୍ତାକ୍ତ ସଂଘର୍ଷ ଯାଏ କଥାଯାଇଛି । ଢ଼େଲା ପଥର ମାଡ଼ ଭିତରେ ଆଡିସିନାଲ ଡିିସିପି ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ବିଜେପି କହୁଛି- ବଦନାମ କରିବା ପାଇଁ କିଛି ଅସାମାଜିକ ଲୋକଙ୍କ ଏହା କାମ ।

ରଣକ୍ଷେତ୍ର ପାଲଟିଲା ରାଜରାସ୍ତା । କଟକ ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଖଣ୍ଡଯୁଦ୍ଧ । ମୁହାଁମୁହିଁ ପୁଲିସ ଓ ବିଜେପି କର୍ମୀ । ନବୀନ ସରକାର ବିରୋଧରେ ରଣହୁଙ୍କାର ଏବଂ ସିଏମସିର ସ୍ଥାଣୁତା ବିରୋଧରେ ବିଜେପି କରୁଥିବା ରାଲି ଉଗ୍ରରୂପ ନେଇଥିଲା, ଯେତେବେଳେ ବିଜେପି କର୍ମୀଙ୍କୁ ପୁଲିସ୍ ଅଟକାଇବାକୁ ଉଦ୍ୟମ କରିଥିଲା । ଆରମ୍ଭ ହୋଇଗଲା, ଅଣ୍ଡା ମାଡ଼, ଟମାଟୋ ମାଡ଼ ଏବଂ ପଥର ମାଡ଼ । ବିଜେପି କର୍ମୀଙ୍କୁ କାବୁ କରିବାକୁ ଯାଇ ପୁଲିସକୁ ହେବାକୁ ପଡ଼ିଥିଲା ରକ୍ତାକ୍ତ । ଖୋଦ୍ ଆଡିସିନାଲ ଡିସିପି ଏହି ଖଣ୍ଡଯୁଦ୍ଧରେ ଆହତ ହୋଇଥିଲେ ।

ସରକାରୀ ଯୋଜନାରେ ଦୁର୍ନୀତି, ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, କଟକ ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ରାସନ କାର୍ଡ ଦୁନୀତି ଆଦି ଅଭିଯୋଗ କରି ବିଜେପି ପକ୍ଷରୁ ପୁରୀଘାଟ, କଲେଜଛକ ଏବଂ ଗୌରୀଶଙ୍କର ପାର୍କଠାରୁ ସିଏମସି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା ବିଜେପି ରାଲି । ଆଉ ଠିକ୍ ସିଏମସି କାର୍ଯ୍ୟାଳୟ ଆଗରେ ପୁଲିସ ସହ ହୋଇଥିଲା ମୁହାଁମୁହିଁ ସ୍ଥିତି । ତେବେ ଏହି ଘଟଣା ପାଇଁ ବିଜେପି କିଛି ଅସାମାଜିକ ଲୋକଙ୍କୁ ଦାୟୀ କରିଛି । ଆଉ ସିଏମସି ବିରୋଧରେ ସ୍ଥାଣୁତା ଅଭିଯୋଗ ଆଣି ସାନି ନିର୍ବାଚନ ଦାବି କରିଛି ।

ଲଢ଼େଇ ରାଜନୀତିର ଥିଲା, ଦାବି ସାଧାରଣ ଲୋକଙ୍କ ପାଇଁ ଥିଲା । ହେଲେ ପରିଣାମ ଇୟା ହେଲାଯେ, ଘଟଣାରେ ପୁଲିସ କର୍ମଚାରୀ ଆହତ ହେଲେ ଏବଂ ସାଧାରଣ ଜନତା ଅସୁବିଧା ସମ୍ମୁଖୀନ ହେଲେ । ଏହି ଘଟଣାରୁ ରାଜନୀତି କରୁଥିବା ରାଜନୈତିକ ଦଳଗୁଡ଼ିକ କିଛି ଶିକ୍ଷା ପାଇବେ କି ?