ମୋଦିଙ୍କୁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ । ସୁପ୍ରିମକୋର୍ଟ କ୍ଷମତା ବୃଦ୍ଧି କରିବାକୁ ହେଲେ ବଢାଇବାକୁ ହେବ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ।

191

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ପଡିରହିଥିବା ମାମଲାର ତ୍ୱରିତ ବିଚାର ପାଇଁ ବିଚାରପତିମାନଙ୍କୁ ନିଯୁକ୍ତି କରାଯାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ସେ ଆହୁରି ମଧ୍ୟ କହିଛନ୍ତି ପୁରୁଣା ପରମ୍ପରା ଅନୁସାରେ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଉ । ତେବେ ଯାଇ ବର୍ଷ ବର୍ଷ ଧରି ପଡିରହିଥିବା ଲକ୍ଷାଧିକ ମାମଲାର ତ୍ୱରିତ ବିଚାର ହୋଇପାରିବ ଏବଂ ନ୍ୟାୟ ପ୍ରଦାନ କରାଯାଇପାରିବ ।

ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟରେ ପଡିରହିଥିବା ୪୩ ଲକ୍ଷରୁ ଅଧିକ ମାମଲାର ସମାଧାନ ପାଇଁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ଟି ଚିଠି ଲେଖିଛନ୍ତି । ପ୍ରାଥମିକତାର ସହିତ ଦୁଇଟି ସାମ୍ବିଧାନିକ ସଂଶୋଧନ ପାଇଁ ମୁଖ୍ୟ ବିଚାରପତି, ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ ଏହି ଦୁଇଟି ଅନୁରୋଧ ହେଲା, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟାରେ ବୃଦ୍ଧି କରାଯାଉ । ଏହି ସଂଖ୍ୟା ବର୍ତମାନ ୩୧ ରହିଛି । ଏହାକୁ ବଢାଇବା ପାଇଁ ସେ କହିଛନ୍ତି । ଏଥିସହ ବିଚାରପତିମାନଙ୍କର ଅବସର ବୟସସୀମାକୁ ୬୨ରୁ ବଢାଯାଇ ୬୫ବର୍ଷ କରାଯାଉ ।

ସମ୍ବିଧାନର ଅନୁଚ୍ଛେଦ ୧୨୮ ଏବଂ ୨୨୪-ଏ ଅନୁସାରେ ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟରେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିୟୋଜିତ କରାଯାଉ । ଏହି ପୁରୁଣା ପରମ୍ପରାକୁ ପୁନର୍ଜିବିତ କରିବା ପାଇଁ ଦାବି କରିଛନ୍ତି ମୁଖ୍ୟ ବିଚାରପତି । ଏହା କରିବା ଦ୍ୱାରା ବହୁଦିନ ଧରି ପଡିରହିଥିବା ମାମଲା ଗୁଡିକର ତ୍ୱରିତ ବିଚାର ହୋଇପାରିବ । ସୁପ୍ରିମକୋର୍ଟରେ ଏବେ ବିଚାରପତିଙ୍କ ପଦ ଖାଲି ନାହିଁ । ଏବେ ସୁପ୍ରିମକୋର୍ଟରେ ୩୧ଜଣ ବିଚାରପତି ଅଛନ୍ତି । ଆଉ କୋର୍ଟରେ ପ୍ରାୟ ୫୮,୬୬୯ଟି ମାମଲା ବିଚାର ପାଇଁ ରହିଛି । ନୂଆ ନୂଆ ମାମଲା ଆସୁଥିବାରୁ ଏହି ସଂଖ୍ୟା ଆହୁରି ବଢୁଛି । ୨୬ଟି ମାମଲା ୨୫ବର୍ଷ ଧରି, ୧୦୦ଟି ମାମଲା ୨୦ବର୍ଷ ଧରି, ୫୯୩ଟି ମାମଲା ୧୫ବର୍ଷ ଧରି, ଏବଂ ୪୯୭୭ଟି ମାମଲା ୧୦ବର୍ଷ ଧରି କୋର୍ଟରେ ପଡିରହିଛି । ତେଣୁ ବିଚାରପତିଙ୍କ ସଂଖ୍ୟା ୩୧ରୁ ବଢାଯାଇ ୩୭ କରିବା ପାଇଁ ମୁଖ୍ୟବିଚାରପତି ଦାବି କରିଛନ୍ତି । ଚିଠିରେ ଏହା ମଧ୍ୟ ଲେଖିଛନ୍ତି ଯେ ୨୪ଟି ଉଚ୍ଚ ନ୍ୟାୟାଳୟରେ ୪୩ଲକ୍ଷ ମାମଲା ପଡିରହିଛି ।

୧୯୮୮ ମସିହାରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୮ରୁ ବଢାଯାଇ ୨୬ କରାଯାଇଥିଲା । ଏହାର ଦୁଇ ଦଶନ୍ଧି ପରେ ଅର୍ଥାତ ୨୦୦୯ରେ ଏହି ସଂଖ୍ୟା ବୃଦ୍ଧି ପାଇ ପହଂଚିଥିଲା ୩୧ରେ । ମାମଲାର ତ୍ୱରିତ ବିଚାର ପାଇଁ ଏହି ସଂଖ୍ୟା ବୃଦ୍ଧି କରାଯାଇଥିଲା । କିନ୍ତୁ ୨୦୦୭ରେ ସୁପ୍ରିମକୋର୍ଟରେ ୪୧,୦୭୮ଟି ମାମଲା ବିଚାର ପାଇଁ ଥିବା ବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ପହଂଚିଛି ୫୮,୬୬୯ରେ । ତେଣୁ ଏହାକୁ ଗୁରୁତର ସହ ବିଚାର କରି ଅଧିକ ବିଚାରପତି ନିଯୁକ୍ତି ପାଇଁ ଦାବି କରିଛନ୍ତି ମୁଖ୍ୟ ବିଚାରପତି । ଏପରି କରିବା ଦ୍ୱାରା ତୁରନ୍ତ ମାମଲା ଗୁଡିକର ବିଚାର କରାଯିବ ଏବଂ ନ୍ୟାୟ ପ୍ରଦାନ କରାଯାଇପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଗତ ଦଶନ୍ଧିରେ ୮୯୫ରୁ ବୃଦ୍ଧି ପାଇ ୧୦୭୯ରେ ପହଂଚିଛି । ସୁପ୍ରିମକୋର୍ଟରେ ଏହି ଅନୁପାତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇ ୩୧ରୁ ୩୭ ହେବା ଆବଶ୍ୟକ ବୋଲି କହିଛନ୍ତି । ୨୪ଟି ହାଇକୋର୍ଟରେ ୪୩ ଲକ୍ଷ ମାମଲା ପଡିରହିବା କ୍ଷେତ୍ରରେ ଗୋଗୋଇ କହିଛନ୍ତି, ହାଇକୋର୍ଟରେ ବିଚାରପତିଙ୍କ ପଦ ଖାଲି ରହିବା ହେଉଛି ମୁଖ୍ୟ କାରଣ । ବର୍ତମାନ ୩୯୯ଟି ପଦ ଖାଲି ରହିଛି ଯାହାକି ମୋଟ ପଦର ୩୭ ପ୍ରତିଶତ । ଏହି ପଦବୀ ଗୁଡିକରେ ତୁରନ୍ତ ନିଯୁକ୍ତି ପାଇଁ ସେ ଦାବି କରିଛନ୍ତି । ତେବେ ଯାଇ ପଡିରହିଥିବା ମାମଲାର ବିଚାର ହୋଇପାରିବ ବୋଲି ସେ କହିଛନ୍ତି ।