ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି। ପ୍ରଧାନ ବିଚାରପତି କହିଲେ, ଘାଟିର ସ୍ଥିତି ଅତ୍ୟନ୍ତ ଗମ୍ଭୀର, ଦରକାର ପଡିଲେ ନିଜେ ଯିବେ ଶ୍ରୀନଗର

675

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି । ଏହି ଧାରା ଉଚ୍ଛେଦକୁ ବିରୋଧ କରି ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି କାଶ୍ମୀର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ଦରକାର ପଡିଲେ ନିଜେ ସ୍ଥିତି ଅନୁଧ୍ୟାନ କରିବାକୁ ଶ୍ରୀନଗର ଯିବେ । ଜମ୍ମୁ କାଶ୍ମୀରରେ ୧୮ ବର୍ଷରୁ କମ ବୟସର ପିଲାଙ୍କୁ ପୁଲିସ କବଜାକୁ ନେଉଥିବା ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିଲା ଜନସ୍ୱାର୍ଥ ମାମଲା । ଏହା ସହିତ ଜମ୍ମୁକାଶ୍ମୀରର ସ୍ଥିତି ଓ ଫାରୁକ ଅବଦୁଲାଙ୍କୁ ନଜରବନ୍ଦୀ କରାଯିବା କାରଣ ନେଇ ୩୦ ସୁଧା ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।

ଏହା ସହିତ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କୁ ଜମ୍ମୁକାଶ୍ମୀର ଯିବାକୁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ଗୁଲାମନବୀଙ୍କ ଗସ୍ତ ଉପରେ କେତେକ ସର୍ତ ରଖିଛନ୍ତି କୋର୍ଟ । ଗୁଲାମନବୀ କେବଳ ଚାରିଟି ଜିଲ୍ଲାକୁ ଗସ୍ତ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଧାରା ୩୫-ଏ ଏବଂ କଟକଣା ଲଗାଇବାକୁ ନେଇ ସୁପ୍ରିମକୋର୍ଟରେ ୮ଟି ଜନସ୍ୱାର୍ଥ ମାମଲା ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ, ତହସିନ୍ ପୁନାୱାଲା, ଶୈଳା ରସଦ୍, ଅନୁରାଧା ବସିନ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ଏଥିରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଧାରା ୩୫-ଏ ଉଚ୍ଛେଦ ଏବଂ କାଶ୍ମୀର ଘାଟିରେ କର୍ଫ୍ୟୁ ଲଗାଇବା ନେଇ ଆପତ୍ତି ଉଠାଇଥିଲେ ।