CJI ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳର ଶେଷ କାର୍ଯ୍ୟ ଦିବସ : ୩ ମିନିଟରେ ୧୦ଟି ମାମଲାରେ କଲେ ନୋଟିସ ଜାରି, ୧୩ ମାସ ଧରି ସର୍ବୋଚ୍ଚ ଅଦାଲତର ବିଚାରପତି ଦାୟିତ୍ୱରେ ଅଛନ୍ତି ଗୋଗେଇ

254

କନକ ବ୍ୟୁରୋ : ପ୍ରଧାନ ବିଚାରପତି ରଂଜନ ଗୋଗୋଇ ୧୭ତାରିଖରେ ଅବସର ନେବାକୁ ଥିବା ବେଳେ ଆଜି ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ । ଆଗାମୀ ଦୁଇ ଦିନ ଶନିବାର ଓ ରବିବାର ଥିବା ଯୋଗୁଁ ଆଜି ତାଙ୍କର ଶେଷ କାର୍ଯ୍ୟ ଦିବସ । ପରମ୍ପରା ଅନୁଯାୟୀ ପରବର୍ତୀ ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ସହ ଆଜି କୋର୍ଟ ରୁମରେ ବସିଥିଲେ ପ୍ରଧାନ ବିଚାରପତି ଗୋଗୋଇ । ଏହାସହ ୩ମିନିଟ ସମୟ ଭିତରେ ପ୍ରାୟ ୧୦ଟି ମାମଲାରେ ପ୍ରଧାନ ବିଚାରପତି ଗୋଗୋଇ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି ।

ପ୍ରାୟ ୧୩ମାସ ଧରି ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଦାୟିତ୍ୱରେ ରହିଛନ୍ତି ଜଷ୍ଟିସ ଗୋଗୋଇ । ତାଙ୍କ କାର୍ଯ୍ୟକାଳ ଭିତରେ ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି । ଅଯୋଧ୍ୟା ମାମଲା, ବରିଷ୍ଠ ବିଚାରପତିଙ୍କ ଅଫିସକୁ ଆରଟିଆଇ ଅନ୍ତର୍ଭୁକ୍ତ କରିବା, ରାଫେଲ ଡିଲ, ସାବରୀମାଳା ମନ୍ଦିର ଏବଂ ସରକାରୀ ବିଜ୍ଞାପନରେ ନେତାଙ୍କ ଫଟୋକୁ ପ୍ରକାଶିତ କରିବା ଉପରେ ରୋକ୍ ମାମଲାରେ ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଈ ଐତିହାସିକ ରାୟ ପ୍ରଦାନ କରିଛନ୍ତି ।

ତାଙ୍କ ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ୧୯୭୮ରେ ଆସାମର ଗୌହାଟୀ ହାଇକୋର୍ଟରେ ଜଣେ ଆଇନଜୀବୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଧାନ ବିଚାରପତି ଗୋଗୋଇ । ୨୦୦୧, ଫେବୃୟାରୀ ୨୮ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

୨୦୧୧, ଫେବ୍ରୁୟାରୀ ୧୨ତାରିଖରେ ପଂଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହି ପଦରେ ବର୍ଷେ ରହିବା ପରେ ୨୦୧୨ରେ ସୁପ୍ରିମକୋର୍ଟ ବିଚାରପତି ଦାୟିତ୍ୱ ମିଳିଥିଲା । ଏହାପରେ ଗତବର୍ଷ ତାଙ୍କୁ ପ୍ରଧାନ ବିଚାରପତି ପଦବୀ ମିଳିଥିଲା ।