ଭୁବନେଶ୍ୱରରେ ଡର ଲାଗେ ନାହିଁ କିନ୍ତୁ ଦିଲ୍ଲୀରେ ଦରକାର ସୁରକ୍ଷା ! ଇସାରା ଇସାରାରେ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଦିଗ ଆଡକୁ ଇଙ୍ଗିତ କଲେ ଦେଶର ପ୍ରଧାନ ବିଚାରପତି ଦୀପକ ମିଶ୍ର

26

କନକ ବ୍ୟୁରୋ : ଇସାରା ଇସାରାରେ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଆଡକୁ ଇଙ୍ଗିତ କରିଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର । ଆଜି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରଧାନ ବିଚାରପତି କହିଛନ୍ତି, ଭୁବନେଶ୍ୱରରେ ତାଙ୍କୁ ସୁରକ୍ଷା ବ୍ୟବସ୍ଥାର ସେଭଳି କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଦିଲ୍ଲୀରେ ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଦିଆଯାଉଛି । ଏହାର କାରଣ ସଂପର୍କରେ ସିଧାସଳଖ କିଛି ନକହି ରାତି ଅଧିଆ ସୁପ୍ରିମକୋର୍ଟ ବସିବା ପ୍ରସଙ୍ଗ ଉଠାଇଛନ୍ତି ।

ଜଷ୍ଟିସ ଦୀପକ ମିଶ୍ର । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଦିଲ୍ଲୀରେ ତାଙ୍କୁ ଦିଆଯାଉଥିବା ବ୍ୟାପକ ସୁରକ୍ଷା ପଛର କାରଣ ସଂପର୍କରେ ଇସାରା କରିଛନ୍ତି ଜଷ୍ଟିସ ମିଶ୍ର । ଭୁବନେଶ୍ୱର ବାର ଆସୋସିଏସନର ବାର୍ଷିକ ଉତ୍ସବରେ ଯୋଗଦେଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଡକୁ ଇଙ୍ଗିତ କରି କହିଛନ୍ତି ତାଙ୍କୁ ଘେରି ରହୁଥିବା ସୁରକ୍ଷା ତାଙ୍କ ପଦ ପାଇଁ ନୁହେଁ । ତେବେ ଏହାର କାରଣ ସଂପର୍କରେ ସୂଚାଇ ଦେବାକୁ ଯାଇ ଉଠାଇଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟର ରାତି ଅଧିଆ ଶୁଣାଣି କଥା । କିନ୍ତୁ ଭୁବନେଶ୍ୱରରେ ତାଙ୍କୁ ଡର ଲାଗେ ନାହିଁ ତେଣୁ ତାଙ୍କୁ ଘେରିବା ଦରକାର ନାହିଁ ବୋଲି କହିଥିଲେ ପ୍ରଧାନ ବିଚାରପତି ।

୨୦୧୫ ଜୁଲାଇ ୨୯ ।ରାତି ପ୍ରାୟ ସାଢେ ୨ଟାରେ ବସିଲା କୋର୍ଟ । କାରଣ ୟାକୁବ ମେମନ ଭଳି ବଡ ଅପରାଧୀଙ୍କ ଫାଶି ଦଣ୍ଡାଦେଶ ମାମଲାର ଶୁଣାଣି କରିଥିଲେ ୩ ଜଣିଆ ଖଣ୍ଡପୀଠ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମାମଲାଟି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିଲା । ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ୟାକୁବ ମେମନର ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାତି ଅଧିଆ ବସିଥିବା ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ।

ସେତେବେଳେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୟାକୁବର ରାଜକ୍ଷମା ଆବେଦନକୁ ଖାରଜ କରିଦେବା ପରେ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାକୁ ବସିଥିଲା ଏହି ରାତିଅଧିଆ କୋର୍ଟ । ରାଷ୍ଟ୍ରପତି ରାଜକ୍ଷମାକୁ ଖାରଜ କରିବା ଓ ଫାଶୀ ଦିଆଯିବା ଭିତରେ ଅନୁନ୍ୟ ୧୪ ଦିନର ଅବଧି ରହିବା ଦରକାର ବୋଲି ଆବେଦନ କରିଥିଲେ ମେମନର ଓକିଲ । ଯେଉଁଥିପାଇଁ ଫାଶୀରେ ବିଳମ୍ବ ହେବା ଆଶଙ୍କାରେ ରାତି ଅଧିଆ ବସିଥିଲା ଏହି କୋର୍ଟ । ଆଉ ୟାକୁବ ମେମନର ଫାଶୀ ଦଣ୍ଡାଦେଶ ଉପରେ ମୋହର ମାରିଥିଲେ ୩ ଜଣିଆ ଖଣ୍ଡପୀଠ ।

ମେମନ ମାମଲା ଶୁଣାଣି ପରେ ମିଳିଛି ହତ୍ୟା ଧମକ । ତେଣୁ ତାଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରାଯାଇଛି । ତେବେ ଭୁବନେଶ୍ୱରରେ, ଦିଲ୍ଲୀର ସୁରକ୍ଷା କଥା ଉଠାଇ ତାଙ୍କୁ ଘେରି ରହିଥିବା ବିପଦ ଆଡକୁ ଇସାରା କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ।