ପାର୍ଲାମେଂଟରେ ଏନଆରସି ରିପୋର୍ଟକୁ ନେଇ ଅମିତ ଶାହାଙ୍କୁ ଟାର୍ଗେଟ କଲେ ବିରୋଧୀ: କହିଲେ, ବିଜେପି ଓ ବିଜେଡିକୁ ଛାଡିଦେଲେ କେହି ଖୋଲିନାହାନ୍ତି ମୁହିଁ, ମମତାଙ୍କ ଗୃହଯୁଦ୍ଧ ଧମକ

31

କନକ ବ୍ୟୁରୋ: ଆସାମର ଜାତୀୟ ନାଗରିକ ତାଲିକା, ଏନଆରସି ରିପୋର୍ଟକୁ ନେଇ ରାଜ୍ୟସଭାରେ ଗତକାଲି ଅମିତ ଶାହା ଭାଷଣ ଦେବାବେଳେ ବିରୋଧୀଙ୍କ ଟାର୍ଗେଟ କରିଥିଲେ । ଅମିତ ଶାହା ଅଭିଯୋଗ କରିଥିଲେ ଯେ ଏହା ପ୍ରଥମରୁ ହିଁ ଲାଗୁ ହେବାର ଥିଲା । କିନ୍ତୁ ଏପରି କରିବାରେ ସେତେବେଳେ ଥିବା ସରକାରର ସାହସ ନଥିଲା । ବିରୋଧୀ ନେତାମାନଙ୍କ କଥାକୁ ସେ ବେଶ ଧ୍ୟାନର ସହ ଶୁଣୁଥିବା କହିଥିଲେ । ଅମିତ କହିଥିଲେ ବିଜେପି ଓ ବିଜେଡିକୁ ଛାଡିଦେଲେ କୌଣସି ଦଳ ଅନୁପ୍ରବେଶକାରୀ ସମସ୍ୟା ଉଠାଇନଥିଲେ ।

ଉଭୟ ଦଳ କହିଥିଲେ, ଦେଶରେ ଅନୁପ୍ରବେଶକାରୀଙ୍କ କୌଣସି ସ୍ଥାନ ନାହିଁ । ଆସାମ ପ୍ରସଙ୍ଗରେ କହିଥିଲେ, ଆସାମରେ ଏହି ଘଟଣାକୁ ନେଇ ବଡ ଆନ୍ଦୋଳନ ହୋଇଥିଲା । କିଛି ଲୋକ ପ୍ରାଣ ମଧ୍ୟ ହରାଇଥିଲେ । ପରେ ୧୪ ଅଗଷ୍ଟ ୧୯୮୫ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆସାମ ବୁଝାମଣା କରିଥିଲେ । ଏହି ବୁଝାମଣାର ମୂଳ ଥିଲା ଏନଆରସି । ଏହା ଅନ୍ତର୍ଗତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଏନଆରସି ପ୍ରସ୍ତୁତ ହେବ । ଏହାକୁ ସେତେବେଳର ପ୍ରଧାନମନ୍ତ୍ରୀ ଆଣିଥିଲେ ମଧ୍ୟ କାର୍ଯ୍ୟକାରୀ କରିବାକୁ ସାହସ ନଥିଲା । ଏବେ ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ସାହସ ରଖୁଛି ବୋଲି ଅମିତ କହିଥିଲେ ।

ସୂଚନା ଅନୁସାରେ, ପ୍ରାୟ ୪୦ ଲକ୍ଷ ଲୋକ ଏହି ସମ୍ଭାବ୍ୟ ତାଲିକାରୁ ବାଦ୍ ପଡ଼ିଛନ୍ତି । ମୋଟ୍ ୩ କୋଟି ୨୯ ଲକ୍ଷ ଲୋକ ଏହି ତାଲିକାରେ ସାମିଲ ହେବାକୁ ପଂଜୀକରଣ କରିଥିଲେ । ତେବେ ୨ କୋଟି ୮୯ ଲକ୍ଷ ଏହି ତାଲିକାରେ ସାମିଲ ହୋଇଛନ୍ତି । ଫଳରେ ପ୍ରାୟ ୪୦ ଲକ୍ଷ ଲୋକ ବିଧିବଦ୍ଧ ଭାବେ ଭାରତୀୟ ନାଗରିକତ୍ୱରୁ ବଂଚିତ ହୋଇଛନ୍ତି । ସେପଟେ ଆସାମ ପ୍ରସଙ୍ଗରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଛନ୍ତି । ଏହାକୁ ନେଇ ସେ ଗୃହଯୁଦ୍ଧ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ।