ଗୁପଚୁପ ନାଁରେ ବିଷ ବିକ୍ରି କରୁଛନ୍ତି କି ବ୍ୟବସାୟୀ ? ଖଟା ପାଣିରେ ମିଶୁଛି ସାଇଟ୍ରିକ ଏସିଡ

126

କନକ ବ୍ୟୁରୋ : ଗୁପଚୁପ ନାଁ ଶୁଣିଲାମାତ୍ରେ ସମସ୍ତଙ୍କ ପାଟିକୁ ଲାଳ ଆସିଯାଏ । ସମସ୍ତଙ୍କ ପ୍ରିୟ ଗୁପଚୁପ । ଗୁପଚୁପ ଖାଇବା ପାଇଁ ଦୋକାନ ଆଗରେ ପ୍ରବଳ ଭିଡ଼ ଜମେ । ଆଉ ଯେତେବେଳେ ମହିଳାମାନଙ୍କ କଥା ଉଠେ, ସେତେବେଳେ ତ ସମସ୍ତେ ଜାଣନ୍ତି ଗୁପଚୁପକୁ ନେଇ ସେମାନଙ୍କର ଆଗ୍ରହର କଥା । ତେବେ କେବଳ ମହିଳାମାନେ ନୁହେଁ ଆଜିକାଲି କଲେଜ ପଢ଼ୁଆ ପିଲାମାନଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାମାନେ ମଧ୍ୟ ଗୁପଚୁପ ଖାଇବା ପାଇଁ ବେଶ୍ ପସନ୍ଦ କରୁଛନ୍ତି । କେବଳ ଯେ ଗୁପଚୁପ ଖାଉଛନ୍ତି , ତା’ନୁହେଁ ଖାଇବା ସମୟରେ ମାଗି ମାଗି ଗୁପଚୁପ ପାଣି ପିଉଥିବାର ମଧ୍ୟ ଦେଖାଯାଉଛି । ଆପଣ ଲକ୍ଷ୍ୟ କରିଥିବେ ଗୁପଚୁପ ଖାଇବା ସମୟରେ ପାଣି ପିଇବା ପାଇଁ ଯେପରି ପ୍ରତିଯୋଗିତା ଚାଲେ । ତେବେ ଗୁପଚୁପ ଖାଉଥିବା ଲୋକଙ୍କ ପାଇଁ ବଡ଼ ଖବର ।

ଗୁପଚୁପ ଖାଉଛନ୍ତି କି, ତେବେ ଟିକିଏ ସାବଧାନ ରୁହନ୍ତୁ । ଖାଇବା ପାଇଁ ଗୁପ୍ଚୁପର ଖଟା ପାଣି ବେଶ୍ ସୁଆଦିଆ ଲାଗେ । କିନ୍ତୁ ଖଟା ପାଣି ପଛର କାହାଣୀ ସେତେ ସୁଆଦିଆ ନୁହେଁ । ବାଲେଶ୍ୱରରେ କନକ ନ୍ୟୁଜ କ୍ୟାମେରା ଟିମ୍ ଏହାର ପ୍ରମାଣ ପାଇଛି । ପାଣିକୁ ଖଟା ଓ ଚଟପଟା କରିବା ପାଇଁ କୁତ୍ରିମ ଭାବରେ ପ୍ରସ୍ତୁତ କରାଯାଉଥିବା ସାଇଟ୍ରିକ ଏସିଡ୍ ଓ ଏସିଟିକ୍ ଏସିଡ୍ ମିଶାଯାଉଛି ।

ଆପଣ ବି ଗୁପଚୁପ୍ ଓ ତା ସହ ଖଟାପାଣି ଥିଲେ ସାବଧାନ ! ଆପଣ ହୁଏତ ତ ଜାଣିନଥିବେ ଯେଉଁ ଖଟାପାଣି ଆପଣଙ୍କର ଏତେ ପସନ୍ଦ  । ସେଥିରେ ରହିଛି ସାଇଟ୍ରିକ୍ ଏସିଡ୍ ଭଳି ରାସାୟନିକ ପଦାର୍ଥ  । ପ୍ରାୟ ଅଧିକାଂଶ ଚୁପଚୁପ ବ୍ୟବସାୟୀଙ୍କ ପାଖରେ ରହିଛି ଏହି ରାସାୟନିକ ପଦାଥ  । ବିନା ସଂକୋଚରେ ଏହି ହାନିକର ପଦାର୍ଥକୁ ବ୍ୟବସାୟୀମାନେ ମିଶାଉଛନ୍ତି ଏବଂ ବିନା ଦ୍ୱିଧାରେ ଖାଉଛନ୍ତି ଲୋକେ ।

ତେନ୍ତୁଳି ମୁଲ୍ୟ ଅଧିକ ଥିବାରୁ ଶସ୍ତାରେ ସାଇଟ୍ରିକ କିମ୍ବା ଏସିଟିକ୍ ଏସିଡ୍ ମିଶାଉଛନ୍ତି ବ୍ୟବସାୟୀ  । ଅଳ୍ପ ଟଙ୍କାରେ ପ୍ରସ୍ତୁତ ହେଉଛି ଖଟାପାଣି, ତାହା ପୁଣି ସମାନ ସ୍ୱାଦ  । ତେବେ ଏହାକୁ ଖାଇବା ଯୋଗୁଁ ଭୟଙ୍କର ଏସିଡିଟି, ବିଭିନ୍ନ ପେଟରୋଗ ଓ ଦାନ୍ତକ୍ଷୟ ଭଳି ରୋଗରେ ଆକ୍ରାନ୍ତ ହେଊଛନ୍ତି ଲୋକେ । କିଛି ଲୋକ ଏ ବିଷୟରେ ଜାଣିକି ମଧ୍ୟ ଖାଇଛନ୍ତି ଏହି ଖଟାପାଣି ।