ନାଗରିକତା ଆଇନ୍ ଓ ଜାମିଆରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ : ଇଣ୍ଡିଆ ଗେଟରେ ଧାରଣାରେ ବସିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ

333

କନକ ବ୍ୟୁରୋ : ଇଣ୍ଡିଆ ଗେଟରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ ବାଦ୍ରା । ନାଗରିକତା ସଂଶୋଧନ ଆଇନ୍ ଓ  ଜାମିଆ ମିଲିୟା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ । ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଧାରଣାରେ ବସିଛନ୍ତି କଂଗ୍ରେସ ମହାସଚିବ । ନାଗରିକତା ସଂଶୋଧନ ଆଇନକୁ ନେଇ ଜାମିଆ ମିଲିୟାରେ ପ୍ରଦର୍ଶନ ସମୟରେ ଅନେକ ଛାତ୍ରୀ ଆହତ ହୋଇଯାଇଥିଲେ । ଦିଲ୍ଲୀ ପୋଲିସ ତାଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମ୍ପସରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ବୋଲି ଅଭିଯୋଗ କରିଥିଲେ ଛାତ୍ରୀ ।

ଛାତ୍ରୀଙ୍କ ଉପରେ ପୋଲିସର ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ଧାରଣାରେ ବସିଛନ୍ତି  ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ମହାସଚିବଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ଧାରଣାରେ ବସିଛନ୍ତି । ଅପରାହ୍ନ ୪ଟାର ଆରମ୍ଭ ହୋଇଛି ଏହି ଧାରଣା । ପ୍ରିୟଙ୍କା କହିଛନ୍ତି ଦେଶ କୌଣସି ଗୁଣ୍ଡାର ଅଧୀନରେ ନାହିଁ । ବର୍ତ୍ତମାନ ଆମ ଦେଶରେ ଗୁଣ୍ଡାରାଜ ଚାଲିଛି । ଦେଶର ମାହୋଲ ଠିକ୍ ନାହିଁ । ପୋଲିସ ବିଶ୍ୱବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ନିହାତି ଲଜ୍ଜାଜନକ । ଏହାବ୍ୟତୀତ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି, ପୋଲିସ ଛାତ୍ରୀ ମାନଙ୍କ ଉପରେ ବଳ ପ୍ରୟୋଗ କରିଛି ।

ସୂଚନାଯୋଗ୍ୟ ରବିବାର ଦିନ ଦକ୍ଷିଣ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ପୋଲିସ, ସାଧରଣ ଜନତା ଓ ମିଡ଼ିଆକୁ ଟାର୍ଗେଟ କରିଥିଲେ । ଦକ୍ଷିଣ ଦିଲ୍ଲୀର କିଛି ଅଞ୍ଚଳକୁ ନିଜ କବଜାରେ ନେଇଥିଲେ ବିକ୍ଷୋଭ ପ୍ରଦର୍ଶନକାରୀ । ଘଟଣାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଜାମିଆ ନଗରରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୋହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ୍ ।