ମମତା ଗଡରେ ମୋଦି ମାରିଲେ ‘ସିଏଏ’ ଶର ! କହିଲେ ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଜାଣିଶୁଣି ଆଇନକୁ ବୁଝୁ ନାହାନ୍ତି । ନାଗରିକତା ଛଡାଇବା ଏହି ଆଇନର କାମ ନୁହେଁ

829

କନକ ବ୍ୟୁରୋ: ମମତା ଗଡରେ ମୋଦିଙ୍କ ମନ୍ତ୍ର । ସିଏଏ ନେଇ ମମତାଙ୍କୁ ବୁଲେଇ ବଙ୍କେଇ ସମାଲୋଚନା କରିବା ସହ ନାଗରିକତା ଆଇନର ପାଠ ପଢାଇଲେ ପ୍ରଧାନମନ୍ତ୍ରୀ । କୋଲକାଲ ଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ବେଲୁର ମଠରେ ଉଦବୋଧନ ଦେଲା ବେଳେ ସିଏଏ ସମ୍ପର୍କରେ କହିଛନ୍ତି । ଆଉ ଏହି ଆଇନକୁ ବିରୋଧ କରୁଥିବା, ଆଇନକୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ସମାଲୋଚନା କରିଛନ୍ତି ।

ମୋଦି କହିଛନ୍ତି କି ଆଇନକୁ ନେଇ ଶସ୍ତା ରାଜନୀତିର ଖେଳ ଖେଳୁଥିବା ଲୋକେ ହିଁ ଆଇନର ପ୍ରକୃତ ଅର୍ଥ ବୁଝୁ ନାହାନ୍ତି କି ବୁଝିବାକୁ ଚେଷ୍ଟା କରୁ ନାହାନ୍ତି । ତେଣୁ ସେହିମାନେ ହିଁ ଦେଶରେ ଆଇନକୁ ନେଇ ଭ୍ରମ ସୃଷ୍ଟି କରୁଛନ୍ତି । ତେବେ ନାଗରିକତା ଆଇନ ରାତାରାତି ତିଆରି ହୋଇନି । ନାଗରିକତା ଛଡାଇ ନେବା ନାଗରିକତା ସଂଶୋଧନ ଆଇନର କାମ ନୁହେଁ । ବରଂ ପାକିସ୍ତାନରେ ଯେଉଁମାନେ ନିର୍ଯାତନା ପାଉଛନ୍ତି ସେମାନଙ୍କ ପାଇଁ ବୋଲି ମୋଦି କହିଛନ୍ତି ।

ମୋଦି ଆହୁରି କହିଛନ୍ତି ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ଯୁବପିଢୀଙ୍କୁ ଅବାଟରେ ନିଆଯାଉଛି । ନାଗରିକତା ସଂଶୋଧନ ଆଇନ କଣ ? କାହିଁକି ଏହି ଆଇନ ପ୍ରଣୟନ ହେଲା ? ଅନେକ ଯୁବପୀଢି ଏନେଇ ଜାଣିଛନ୍ତି କିନ୍ତୁ ଆଉ କିଛିଙ୍କୁ ଏହାର ସଠିକ ତଥ୍ୟ ଜଣାନାହିଁ । ସେହି ଯୁବପିଢିମାନଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସବିଶେଷ ତଥ୍ୟ ଏବଂ ବାସ୍ତବତା ବୁଝାଇବା ଦରକାର ବୋଲି ପରାମର୍ଶ ଦେଇଛନ୍ତି ମୋଦି ।

କାହାର ନାଗରିକତା ଛଡାଇବା ଏହି ଆଇନର କାମ ନୁହେଁ ବରଂ ନାଗରିକତା ଦେବା ହେଉଛି ଆଇନର କାମ । ତେଣୁ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ଆଇନକୁ ନେଇ ଗୁଜବ ଖେଳାଉଛନ୍ତି ସେମାନେ କ୍ଷାନ୍ତ ରୁହନ୍ତୁ ବୋଲି ମୋଦି ମମତାଙ୍କ ଆଡକୁ ତୀର ମାରିଛନ୍ତି । ତେବେ ସିଏଏ ବିଲ ସହ ଆଇନରେ ପରିଣତ ହେବା ଯାଏଁ ପଶ୍ଚିମବଙ୍ଗରେ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇନ ବିରୋଧରେ ଗର୍ଜନ କରି ବଡ ବଡ ରାଲି କରିଥିଲେ । ଗତ କାଲି ମଧ୍ୟ ମୋଦି କୋଲକାତା ଗସ୍ତ ସମୟରେ ମମତା ଆଇନକୁ ବିରୋଧ କରି ଏକ ସଭା କରିଥିଲେ ।

ଆଉ ମମତାଙ୍କ ଏହି ବିରୋଧୀ ଭାବକୁ ମୋଦି ଅନେକ ଥର ସମାଲୋଚନା କରିଛନ୍ତି । ଯେଉଁ ମମତା ଦିନେ ସଂସଦରେ ବାଚସ୍ପତିଙ୍କ ଆଗରେ କାଗଜ ଫୋପାଡି ସରଣାର୍ଥୀଙ୍କ ପାଇଁ ଆଇନ ଆସୁ ବୋଲି କହୁଥିଲେ ଏବେ ସେ କଣ ପାଇଁ ବଦଳିଗଲେ ବୋଲି ପୂର୍ବରୁ ମୋଦି ମମତାଙ୍କୁ ସମାଲୋଚନା କରିଥିଲେ । ମାତ୍ର ଆଜି ମମତାଙ୍କ ଗଡରେ ଖୋଦ ନିଜେ ଛିଡା ହୋଇ ସିଏଏ ଶର ମାରିଛନ୍ତି ମୋଦି ।