ଲକ୍ଷ ଲକ୍ଷ ମହିଳାଙ୍କୁ ସୁରକ୍ଷା ଦେବ ଆପ୍ ! ଜରୁରୀ ପରିସ୍ଥତିରେ ସାହାଯ୍ୟ କରିବ ସ୍ୱତନ୍ତ୍ର ଫିଚର, ଜାଣନ୍ତୁ କେଉଁ ସହରରେ ହୋଇଛି ଏପରି ବ୍ୟବସ୍ଥା ?

15

ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢ଼ିଚାଲିଛି। ଘରୋଇ ହିଂସା ଏବଂ କର୍ମକ୍ଷେତ୍ରରେ ଯୌନ ଶୋଷଣ ସହ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି। ମହିଳାଙ୍କ ପ୍ରତି ଅଶ୍ଳୀଳ ଆଚରଣ, ପିଛା କରିବା, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, କମେଣ୍ଟ ମାରିବା ଏବଂ ଦୁଷ୍କର୍ମ କରିବା ଏହାର ଗୋଟିଏ ଗୋଟିଏ ଉଦାହରଣ । ପ୍ରତିଦିନ ମହିଳାଙ୍କ ପ୍ରତି ହେଉଥିବା ହିଂସା ଖବର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। କେଉଁଠି ଯୌତୁକ ପାଇଁ ମହିଳାମାନେ ନିର‌୍ୟାତନା ଭୋଗୁଛନ୍ତି ତ ଆଉ କେଉଁଠି ଆପଣାର ଲୋକଙ୍କ ଗହଣରେ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି। ଏବେ ପ୍ରତିଦିନ ଦୁଷ୍କର୍ମ ସଂଖ୍ୟା ବଢ଼ିଚାଲିଛି।

ମହିଳାଙ୍କ ପ୍ରତି ହଂସାକୁ ଦୃଷ୍ଟିରେ ରଖି ସରକାର ଅନେକ ପଦକ୍ଷେପ ନେଉଛନ୍ତି ସତ କିଛି କାମ ଦେଉନି । ଉଚିତ ଦଣ୍ଡବିଧାନ ନଥିବା ଯୋଗୁଁ ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢ଼ିବାରେ ଲାଗିଛି । ନିକଟରେ ଇନ୍ଦୋର ପୋଲିସ ମଧ୍ୟ ମହିଳାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ସିଟିଜେନ୍ କପ୍ ଆପରେ କିଛି ଫିଚର ଯୋଡ଼ାଯାଇଛି । ଆଉ ଏହି ସ୍ୱତନ୍ତ୍ର ଫିଚର ଯୋଡ଼ିହେଲା ପରେ ଆପକୁ ଡାଉନଲୋଡ଼୍ କରୁଥିବା ସଂଖ୍ୟା ଏକ ଲକ୍ଷରୁ ଅଧିକ ବଢ଼ିଯାଇଛି ।

ଏହି ଆପରେ ମହିଳାଙ୍କ ସୁରକ୍ଷିତ ରଖିବା ପାଇଁ ବିକଳ୍ପ ଦିଆଯାଇଛି । ଫିଚର ଯୋଡ଼ିହେବା ପରେ ପରିବାରର ସଦସ୍ୟ ବାହାରେ ଥିଲେ ମଧ୍ୟ ମହିଳା ଓ ପିଲାଙ୍କ ଦେଖାଶୁଣା କରିବା ସମ୍ଭବ ହୋଇପାରିବ । ଆପରେ ଥିବା ଜିପିଏସ୍ ଲୋକେସନ୍ ଦ୍ୱାରା ଜାଣିହେବ ମହିଳାମାନେ କେତେବେଳେ ଅଫିସ, ସ୍କୁଲ ଓ କଲେଜରେ ପହଞ୍ଚୁଛନ୍ତି । ପିଲାଙ୍କ ସହ ଯେପରି କୌଣସି ଅପରାଧ ନହେବ, ସେନେଇ ମଧ୍ୟ ଆପରେ ନୂଆ ଫିଚର ଯୋଡ଼ାଯାଇଛି । ଏଥିପାଇଁ ଘରର ସଦସ୍ୟ ଜିପିଏସରେ ବିକଳ୍ପ ସେଟ୍ କରିପାରିବେ । ଜିପିଏସରେ ଦିଆଯାଇଥିବା ଲୋକେସନ୍ ବ୍ୟତୀତ ପିଲାମାନେ ଅନ୍ୟ କୁଆଡ଼େ ଗଲେ ଘରଲୋକଙ୍କ ପାଖକୁ ମେସେଜ୍ ଆସିଯିବ । ଏହାଦ୍ୱାରା ପିଲାଙ୍କ ହଜିିଯିବାର ସମସ୍ୟା ମଧ୍ୟ ଦୂର ହେବ ।

ଆପରେ ଜରୁରୀକାଳୀନ ପରିସ୍ଥିତି ପାଇଁ ପାନିକ୍ ବଟନ୍ ମଧ୍ୟ ଦିଆଯାଇଛି । ଏଥିରେ ପରିବାର ଲୋକ ତଥା ପୋଲିସ ଅଧିକାରୀଙ୍କ ନମ୍ବର ଦେଇପାରିବେ । କୌଣସି ପରିସ୍ଥିତିରେ ମହିଳାଙ୍କୁ ସାହାଯ୍ୟ ଦରକାର ପଡ଼ିଲେ ଏକ ବଟନ ଦବାଇ ଲୋକେସନ୍ ପଠାଇ ପାରିବେ । ଯଦ୍ୱାରା ପୋଲିସ୍ ଅଧିକାରୀ କିମ୍ବା ଘର ଲୋକ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିପାରିବେ ।