ବରିଷ୍ଠ ନାଗରିକଙ୍କ ଅଭିଯୋଗ ପରେ ବଢ଼ିପାରେ ଆଧାର-ପ୍ୟାନ କାର୍ଡ ଲିଙ୍କ୍ ସମୟସୀମା !

40

ଆଜିକା ତାରିଖରେ ଆଧାରକାର୍ଡ ଓ ପ୍ୟାନ କାର୍ଡ ଜଣେ ବ୍ୟକ୍ତିର ସବୁଠାରୁ ପରିଚୟ । ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅଧିକାଂଶ କାମରେ ଆଧାରକାର୍ଡକୁ ବ୍ୟକ୍ତିର ପ୍ରକୃତ ପରିଚୟ ଭାବରେ ଗ୍ରହଣ କରାଯାଉଛି । ସେହିଭଳି ଆର୍ଥିକ କାରବାରରେ ପ୍ୟାନ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପତ୍ର । ସେଥିପାଇଁ ଆଧାରକାର୍ଡ ସହିତ ପ୍ୟାନ କାର୍ଡକୁ ଆଗାମୀ ଜୁଲାଇ ୩୧ ମଧ୍ୟରେ ଯୋଡ଼ିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର ।

କିନ୍ତୁ ବିଭିନ୍ନ ଅସୁବିଧା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଧାର କାର୍ଡକୁ ପ୍ୟାନ କାର୍ଡ ସହିତ ସଂଯୋଗ କରିପାରି ନାହାନ୍ତି । ଏହି କାରଣରୁ ସରକାର ସମୟସୀମାକୁ ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଧାର ସହିତ ପ୍ୟାନକୁ ଯୋଡ଼ିବାକୁ ନେଇ ଆୟକର ବିଭାଗକୁ ଅନେକ ଗୁଡ଼ିଏ ଅଭିଯୋଗ ଆସିଛି । ଏମାନଙ୍କ ମଧ୍ୟରୁ କିଛି ଲୋକ ହେଉଛନ୍ତି ବରିଷ୍ଠ ନାଗରିକ ।

ଅଭିଯୋଗ ଅନୁସାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆଧାର କାର୍ୟ୍ୟାଳୟ ଓ ଆୟକର କାର୍ୟ୍ୟାଳୟକୁ ଭିନ୍ନ ଭିନ୍ନ ତଥ୍ୟ ଦିଆଯାଇଥିବାରୁ ଆଧାରକାର୍ଡ ଓ ପ୍ୟାନକାର୍ଡକୁ ଲିଙ୍କ କରିବାରେ ଅସୁବିଧା ହେଉଛି । ସରକାରଙ୍କୁ ଏଭଳି ଅନେକଗୁଡ଼ିଏ ଅଭିଯୋଗ ଆସିଛି । ଲୋକମାନେ ପ୍ୟାନକାର୍ଡ ପାଇବା ପାଇଁ ସରକାରଙ୍କୁ ଦେଇଥିବା ତଥ୍ୟ ଓ ଆଧାରକାର୍ଡ ପାଇଁ ଦେଇଥିବା ତଥ୍ୟ ମଧ୍ୟରେ ସମାନତା ରହୁନାହିଁ ।

ସେହିଭଳି ବରିଷ୍ଠ ନାଗରିକମାନେ ଆଧାରକାର୍ଡ ସଂଶୋଧନ କରିବା ପାଇଁ ଦୀର୍ଘ ସମୟ ଧରି ଲାଇନରେ ରହିବାକୁ ପଡ଼ୁଥିବାରୁ ସେମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଅଧିକାରୀ କହିଛନ୍ତି, ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ଦ୍ୱାରା ସମୀକ୍ଷା କରାଯିବା ପରେ ଆଧାରକାର୍ଡ ସହିତ ପ୍ୟାନ କାର୍ଡକୁ ସଂଯୋଗ କରିବା ପାଇଁ ସାଧାରଣ ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା । ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧ ।

ସରକାରୀ ତଥ୍ୟ ଅନୁସାରେ ଜୁଲାଇ ୧୭ ମଧ୍ୟରେ ୨୫ ପ୍ରତିଶତ ପ୍ୟାନ କାର୍ଡଧାରୀ ସେମାନଙ୍କର ପ୍ୟାନକାର୍ଡକୁ ଆଧାରକାର୍ଡ ସହିତ ସଂଯୋଗ କରି ସାରିଛନ୍ତି । ଯେଉଁମାନଙ୍କର ବାର୍ଷିକ ଆୟ ୫ଲକ୍ଷ କିମ୍ବା ତା’ ଠାରୁ ଅଧିକ ଟଙ୍କା ସେମାନଙ୍କୁ ଆଧାରକାର୍ଡ ସହିତ ପ୍ୟାନକାର୍ଡକୁ ସଂଯୋଗ କରିବାକୁ ପଡ଼ିବ । ଏଥି ସହିତ ଜୁଲାଇ ୩୧ ସୁଦ୍ଧା ଅନଲାଇନରେ ଆଇଟି ରିଟର୍ଣ୍ଣ ଦାଖଲ କରିବାକୁ ହେବ ।