ପଶ୍ଚିମ ଓଡିଶାରେ ବିଜେଡି ପାଇଁ ଭୋଟ ମାଗୁଛନ୍ତି ସିନେଷ୍ଟାର : ବରଗଡରେ ବିଜେଡି ସାସଂଦ ଅନୁଭବ ମହାନ୍ତିଙ୍କ ବାଇକ ରାଲି

50

କନକ ବ୍ୟୁରୋ : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ କଳାହାଣ୍ଡି ଜିଲ୍ଲାରେ ସିନେତାରକାମାନେ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଗାଁ ଗହଳିର ଭୋଟରଙ୍କୁ ସିନେ ଷ୍ଟାର ଦେଖାଇ ଭୋଟ ହାତେଇବାର ପ୍ରୟାସ ଚାଲିଛି । ପ୍ରଥମେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଜୁନାଗଡ ଓ ଧର୍ମଗଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଆଜି ସିନେତାରକା ଅରିନ୍ଦମ୍ କଳାହାଣ୍ଡିରେ ପ୍ରଚାର କରିଛନ୍ତି ।

ଭବାନୀପାଟଣା ନିର୍ବାଚନ ମଣ୍ଡଳିର ବିଭିନ୍ନ ଜିଲ୍ଲା ପରିଷଦ ଜୋନ ଗୁଡିକରେ ଅରିନ୍ଦମ ରୋଡ ସୋ କରି ପ୍ରଚାର କରିଛନ୍ତି । ଅରିନ୍ଦମଙ୍କ ସହ ସଦର ବିଧାୟକ ଅନାମ ନାଏକ ଓ ପୂର୍ବତନ ରାଜ୍ୟସଭା ସାଂସଦ ଭୁିପିନ୍ଦର ସିଂ ରୋଡ ସୋ କରି ପ୍ରଚାର କରିଛନ୍ତି । ଅନ୍ୟପଟେ ସିନେ ତାରକାଙ୍କ ପ୍ରଚାର କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଏବେ ଜୋରସୋରରେ ପ୍ରଚାର ଚଲାଇଛନ୍ତି । ଆଜି ବିଜେଡିର ଷ୍ଟାର ପ୍ରଚାରକ ତଥା ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ବରଗଡରେ ରୋଡ ସୋ କରିଛନ୍ତି । ଅନୁଭବ ମହାନ୍ତି ଏକ ବିରାଟ ବାଇକ ରାଲିରେ ତୋରାରୁ ନାଗେନପାଲି ଯାଏଁ ରୋଡ ସୋ କରିଥିଲେ ।

ନବୀନ ସରକାରଙ୍କ ସୁଶାସନ ଓ କେନ୍ଦ୍ର ଅବହେଳା ସଂପର୍କରେ ଲୋକଙ୍କୁ ସେ ସଚେତନ କରିଥିଲେ ଓ ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଥିଲେ । ଅନୁଭବଙ୍କ ବାଇକ ରାଲିରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ସାମିଲ ହୋଇଥିଲେ । ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ବରଗଡରେ ଦୁଇ ଦିନ ତଳେ ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ ଏବଂ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରଚାର କରିଥିଲେ ।