କ୍ରୀଡା ବନାମ କଳା ! କାହାର ପଲ୍ଲା ଭାରୀ? କଳିଙ୍ଗ ଷ୍ଟୁଡିଓକୁ ନେଇ ବିବାଦ ସୃଷ୍ଟି ହେବାପରେ ପଛଘୁଂଚା ଦେଲେ ସରକାର ,କ୍ରୀଡ଼ା ସଚିବ କହିଲେ ହୋଇନାହିଁ ସେଭଳି କୌଣସି ନିଷ୍ପତି

34

କନକ ବ୍ୟୁରୋ: କଳିଙ୍ଗ ଷ୍ଟୁଡିଓ ଜାଗାରେ ସ୍ପୋର୍ଟସ କମ୍ପଲେକ୍ସ ଗଢିବା ପ୍ରସ୍ତାବ ନେଇ ବିବାଦ ଜୋର ଧରୁଥିବା ବେଳେ ଏକ ପାଦ ପଛକୁ ଘୁଂଚି ଆସିଛନ୍ତି ରାଜ୍ୟ ସରକାର । ଏକ ହ୍ୱାଟସଆପ ମେସେଜରେ କ୍ରୀଡ଼ା ସଚିବ କହିଛନ୍ତି, ବିଭାଗର ଚିଠିକୁ ଭୁଲ ଢଙ୍ଗରେ ଦର୍ଶାଯାଇଛି । ଏ ନେଇ ସରକାରୀ ସ୍ତରରେ କିଛି ଆଲୋଚନା ହୋଇନି, ଏହା କେବଳ ସାଧାରଣ ପ୍ରସ୍ତାବ ଥିଲା । ସେପଟେ ବରିଷ୍ଠ ସିନେ କଳାକାରମାନେ କହିଛନ୍ତି ଯଦି ଏଭଳି ନିଷ୍ପତି ନିଆଯାଏ, ତେବେ ଏହାର ଦୃଢ ବିରୋଧ କରାଯିବ ।

୧୯୮୨ ମସିହାରେ ୨୫ ଏକର ଜାଗାକୁ ନେଇ ଗଢ଼ା ହୋଇଥିବା ଏହି କଳିଙ୍ଗ ଷ୍ଟୁଡିଓ ଏବେ କୌଣସି ସିନେମା ପାଇଁ ନୁହେଁ, ବଂର ଏକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛି । ଗତକାଲି କ୍ରୀଡ଼ା ବିଭାଗର ଏହି ଚିଠିକୁ ନେଇ ଗଣମାଧ୍ୟମରେ ରିପୋର୍ଟ ହୋଇଥିଲା । ଯେଉଁଥିରେ କ୍ରୀଡ଼ା ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି କଳିଙ୍ଗ ଷ୍ଟୁଡିଓ ଜାଗାରେ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ ନେଇ ପ୍ରସ୍ତାବ ଦେଇଥିଲା । ତେବେ ଗତକାଲି ଏହି ରିପୋର୍ଟ ପ୍ରସାରଣ ପରେ ସିନେ କଳାକାର ଏହାକୁ ବିରୋଧ କରି ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହି ଘଟଣା ପରେ କ୍ରୀଡ଼ା ସଚିବ ବିଶାଳ ଦେବ କ୍ଷୁବ୍ଧ ହୋଇଛନ୍ତି । ହ୍ୱାଟସଆପରେ ଏକ ମେସେଜ ଦେଇ ବିଶାଳ ଦେବ କହିଛନ୍ତି, ଏହି ଚିଠିକୁ ଟ୍ୱିଷ୍ଟ କରାଯାଇ ଅନାବଶ୍ୟକ ବିବାଦ ସୃଷ୍ଟି କରାଯାଇଛି ।

କ୍ରୀଡ଼ା ସଚିବ ବିଶାଲ ଦେବ ହ୍ୱାଟସଆପରେ ଲେଖିଛନ୍ତି, ସେଭଳି କୌଣସି ନିଷ୍ପତି ନିଆଯାଇନାହିଁ । ଏହା କେବଳ କ୍ରୀଡ଼ା ବିଭାଗ ତରଫରୁ ଏକ ପ୍ରସ୍ତାବ ଥିଲା । ଏକ ଚିଠିକୁ ନେଇ ଏଭଳି ବିବାଦ ସୃଷ୍ଟି କରିବା ଯୋଗୁଁ ଦୁଃଖିତ ବୋଲି ସେ ଲେଖିଛନ୍ତି । ସେପଟେ ବିଭାଗର ପ୍ରସ୍ତାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କଳାକାରଙ୍କ ଭାବାବେଗକୁ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ଚିହିଁକି ଉଠିଛି ସିନେ କଳାକାର ସଂଘ । ତେବେ ୧୯୯୯ ମସିହା ମହାବାତ୍ୟା ପରଠାରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା କଳିଙ୍ଗ ଷ୍ଟୁଡିଓ, ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । କଳିଙ୍ଗ ଷ୍ଟୁଡିଓରୁ ଇଂଚେ ଜାଗା ଛାଡିବା ପାଇଁ କଳାକାର ସଂଘ ନାରାଜ ।

ସେପଟେ କଳାକାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି କ୍ରୀଡ଼ାବିତ୍ । ଯଦି ଓଡ଼ିଆ ଫିଲ୍ମ ବାହାରେ ନିର୍ମାଣ ହେଉଛି, କଳିଙ୍ଗ ଷ୍ଟୁଡିଓ କାମରେ ଲାଗୁନାହିଁ, ତେବେ ସ୍ପୋର୍ଟସ କମ୍ପଲେକ୍ସ କଲେ କ୍ଷତି କଣ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । ଅନ୍ୟପଟେ,କ୍ରୀଡ଼ା ସଚିବ ବିଶାଳ ଦେବ ଏଭଳି ନିଷ୍ପତି ନିଆଯାଇନାହିଁ ବୋଲି କହିବା ପରେ ବିଭାଗ ଏଭଳି ଯୋଜନାରୁ ଓହରି ଆସିପାରେ ବୋଲି ଚର୍ଚ୍ଚା ହେଉଛି ।