କୁମ୍ଭ ମେଳାରେ ଟଙ୍କା ବର୍ଷା କରୁଛନ୍ତି ଶ୍ରଦ୍ଧାଳୁ ! ୫ ଦିନରେ ଉତ୍ତରପ୍ରଦେଶ ସରକାରଙ୍କୁ ମିଳିଛି ୧ କୋଟି ୨ଲକ୍ଷ ଟଙ୍କାର ରାଜସ୍ୱ ।

ଚଳିତ ବର୍ଷ କୁମ୍ଭମେଳାର ଆୟ ୫ ଦିନରେ ପହଁଚିଛି ୧ କୋଟି ୨ଲକ୍ଷ ଟଙ୍କା ।

202

କନକ ବ୍ୟୁରୋ: ଚଳିତ ବର୍ଷ କୁମ୍ଭମେଳାର ଆୟ ୫ ଦିନରେ ପହଁଚିଛି ୧ କୋଟି ୨ଲକ୍ଷ ଟଙ୍କା । ସିଆଇଆଇ ସୂଚନା ମୁତାବକ ପ୍ରୟାଗରାଜ ସଙ୍ଗମର ଭୂମିରେ ଆୟୋଜିତ କୁମ୍ଭ ମେଳାରୁ ଉତ୍ତରପ୍ରଦେଶ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୧କୋଟି ୨ଲକ୍ଷ ଟଙ୍କା ରାଜସ୍ୱ ଆୟ କରିଛନ୍ତି । ସିଆଇଆଇ ରିପୋର୍ଟ ମୁତାବକ ଜାନୁଆରୀ ୧୫ ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା କୁମ୍ଭ ମେଳା, ଧାର୍ମିକ ଓ ଆଧ୍ୟାତ୍ମିକ ଆୟୋଜନ ଅଟେ ।

ସେପଟେ ଚଳିତ ବର୍ଷ କୁମ୍ଭମେଳାର ଆୟୋଜନ ନେଇ ଉତ୍ତରପ୍ରଦେଶ ସରକାର ୪ହଜାର ୨୦୦ କୋଟି ଟଙ୍କା ବଜେଟ୍ କରିଛନ୍ତି । ଦୀର୍ଘ ୫୦ ଦିନ ଧରି ଚାଲିବାକୁ ଥିବା ଏହି ପବିତ୍ର କୁମ୍ଭ ମେଳାର ପ୍ରଥମ ୫ ଦିନରେ ସରକାରଙ୍କ ରାଜସ୍ୱ ୧ କୋଟି ୨ ଲକ୍ଷରେ ପହଁଚିଛି । ସେହିପରି ସିଆଇଆଇର ସୂଚନା ମୁତାବକ କୁମ୍ଭ ମେଳାରୁ ଉତ୍ତରପ୍ରଦେଶ ସରକାରକୁ ୧୨୦୦ କୋଟି ରାଜସ୍ୱ ମିଳିବ । ଏହାଦ୍ୱାରା ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ ଓ ହିମାଂଚଳ ପ୍ରଦେଶ କୁମ୍ଭ ମେଳା ଦ୍ୱାରା ଲାଭବାନ ହେବେ । କାରଣ କୁମ୍ଭ ମେଳା ବୁଲି ଆସିଥିବା ପର୍ଯ୍ୟଟକ ଏହି ସବୁ ରାଜ୍ୟକୁ ବୁଲିବାକୁ ଯାଇଥାନ୍ତି । ସେହିଭଳି ଚଳିତ ବର୍ଷ କୁମ୍ଭ ମେଳାରେ ପାଖାପାଖି ୧୫ କୋଟି ଲୋକ ଆସିଥିବା ଅନୁମାନ କରାଯାଉଛି । ବିଶ୍ୱର ବୃହତ ଧାର୍ମିକ ଆୟୋଜନ ହେଉଛି କୁମ୍ଭ ମେଳା ।

ଅନ୍ୟପଟେ ସିଆଇଆଇ ଅନୁସାରେ, କୁମ୍ଭ ମେଳା କ୍ଷେତ୍ରରେ ଅତିଥି ସତ୍କାରରେ ଅଢେଇ ଲକ୍ଷ ଲୋଙ୍କୁ ନିଯୁକ୍ତି ମିଳିବ । ଏହା ଛଡା ଏୟାର ଲାଇନ୍ସ୍ ଓ ବିମାନ ବନ୍ଦର ପାଖ ସ୍ଥାନରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ । ୪୫୦୦୦ ଟୁର ଅପରେଟରଙ୍କୁ ମଧ୍ୟ ରୋଜଗାର ମିଳିବ । ଏହା ସହିତ ଇକୋ ଟୁରିଜିମ କ୍ଷେତ୍ରରେ ପାଖାପାଖି ୮୫,୦୦୦ଙ୍କୁ ରୋଜଗାରର ସୁଯୋଗ ମିଳିବ ।