ମହାତ୍ମା ଗାନ୍ଧିଙ୍କ ମୁହଁରେ ସିଗାରେଟ୍ ରଖି ସେଲଫି ନେବା ପଡିଲା ମହଙ୍ଗା ! ଦୁଇ ଯୁବକଙ୍କ ନାଁରେ ଥାନାରେ ଏତଲା

57

କନକ ବ୍ୟୁରୋ: ମହାତ୍ମା ଗାନ୍ଧିଙ୍କ ମୁହଁରେ ସିଗାରେଟ୍ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାମୁଗୁଡା ଗାଁରେ । କୋଷାମୁଗୁଡା ମହାତ୍ମା ଗାନ୍ଧି ଶିଶୁ ଉଦ୍ୟାନରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ମୁହଁରେ ଜଳନ୍ତା ସିଗାରେଟ୍ ଲଗାଇ ସେଲ୍ଫି ନିଆଯାଇଛି । ଆଉ ଏମିତି କାଣ୍ଡ ଘଟାଇଛନ୍ତି ସେଲ୍ଫି ନିଶାରେ ମସଗୁଲ ଦୁଇ ଜଣ ଯୁବକ । ଖାଲି ସେଲଫି ଉଠାଇ ନାହାନ୍ତି, ଏହି ସେଲଫିକୁ ନିଜ ଫେସବୁକ ଆକାଉଂଟରେ ପୋଷ୍ଟ ମଧ୍ୟ କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବକଙ୍କ ବିକୃତ ମାନସିକତାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ମାମଲା ପହଂଚିଛି ଥାନାରେ ।

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ କୋଷାମୁଗୁଡା ଥାନାରେ ଦୁଇ ଯୁବକଙ୍କ ନାଁରେ ଏତଲା ଦିଆଯାଇଛି । ସେହିପରି ନବରଙ୍ଗପୁର ମା’ ଘର ପକ୍ଷରୁ ମଧ୍ୟ ଯୁବକ ଦୁଇଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଅଭିଯୋଗ ଅନୁସାରେ କୋଷାଗୁମୁଡାସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉପରକୁ ଚଢ଼ି ଦୁର୍ବୃତ୍ତମାନେ ଗାନ୍ଧିଜୀଙ୍କୁ ସିଗାରେଟ ପିଆଉଛନ୍ତି । ଗାନ୍ଧିଜୀଙ୍କୁ ସିଗାରେଟ ପିଆଇବା ସହିତ ଦୁର୍ବୃତ୍ତମାନେ ସେଲଫି ନେଇଥିବା ଦୃଶ୍ୟ ଫେସବୁକରେ ଭାଇରାଲ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ଗତ ନଭେମ୍ବର ୪ ସନ୍ଧ୍ୟା ୫ଟା ୩୯ମିନିଟରେ ଗାନ୍ଧିଜୀଙ୍କର ଏହି ଫଟୋକୁ ଉଠାଇଥିଲେ । ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମୁନା ତ୍ରିପାଠୀ ଓ ସଂମ୍ପାଦକ ଅବଦୁଲ ଫିରୋଜ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହି ଘଟଣାକୁ ମା’ଘର ପକ୍ଷରୁ ମଧ୍ୟ ପ୍ରବଳ ନିନ୍ଦା କରାଯାଇଛି ।