ଶ୍ରୀଲଙ୍କାର ଛାତିଥରା ବିସ୍ଫୋରଣ ପରେ ଆଜି ଥିଲା ପ୍ରଥମ ରବିବାର । ଚର୍ଚ୍ଚ ଗୁଡିକରେ ବନ୍ଦ ହେଲା ସାମୁହିକ ପ୍ରାର୍ଥନା ।

92

କନକ ବ୍ୟୁରୋ : ଶ୍ରୀଲଙ୍କା ସିରିଜ ବୋମା ବିସ୍ଫୋରଣ ଘଟଣା ପରେ ଆଜି ହେଉଛି ପ୍ରଥମ ରବିବାର । ଗତ ରବିବାର ଦିନ ଶ୍ରୀଲଙ୍କାରେ ହୋଇଥିବା ଏହି ଆତଙ୍କବାଦୀ କାଣ୍ଡ ସାରା ବିଶ୍ୱକୁ ଥରେଇ ଦେଇଥିଲା । କିନ୍ତୁ ଶ୍ରୀଲଙ୍କାର ସ୍ଥିତି ଏବେ ସୁଧୁରିନଥିବାରୁ ଆଜି କଲମ୍ବୋ ସମେତ ଅନ୍ୟ ପ୍ରମୁଖ ସହରରେ ଥିବା ଚର୍ଚ୍ଚ ଗୁଡ଼ିକରେ ସାମୁହିକ ପ୍ରାର୍ଥନା ହୋଇନାହିଁ । ଭାଟିକାନର ଅନୁମତି କ୍ରମେ କଲମ୍ବୋର କ୍ୟାଥଲିକ ଆର୍କବିସପ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି କୌଣସି ଧାର୍ମିକ ସମାବେଶରେ ଏକତ୍ରିତ ନହେବାକୁ ଖ୍ରୀଷ୍ଟିଆନ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଗତ ରବିବାରଦିନ ଇଷ୍ଟରପର୍ବ ଅବସରରେ କଲମ୍ବୋରେ ଲଗାତାର ୯ଟି ବୋମା ବିସ୍ଫୋରଣ ଘଟି ପ୍ରାୟ ୩୬୦ ବ୍ୟକ୍ତି ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଶ୍ରୀଲଙ୍କାର ଗୁଇନ୍ଦା ବିଭାଗ ଆଗକୁ ଆହୁରି ବିସ୍ଫୋରଣ ହେବାର ଆଶଙ୍କା ବ୍ୟକ୍ତ କରୁଥିବାରୁ କଲମ୍ବୋରେ ଏବେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଗୁରୁବାରଦିନ ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ଟାଉନରେ ଆଉ ଏକ ଛୋଟ ଧରଣର ବିସ୍ଫୋରଣ ହୋଇଛି । ଏଥିରେ କୌଣସି ଜନଜୀବନ ହାନୀ ହୋଇନାହିଁ । ଶନିବାରଦିନ ଶ୍ରୀଲଙ୍କା ସେନା ଆକ୍ରମଣରେ କେତେକ ସଂଦିଗ୍ଧ ଆତଙ୍କବାଦୀ ନିହତ ହୋଇଥିଲେ ।