କନକ ବ୍ୟୁରୋ : ମୃତ୍ୟୁ କାହାପାଇଁ କେତେବେଳେ କେମିତି ଆସେ କହିବା ମୁସ୍କିଲ । ମଝି ଚିଲିକାରେ ଯାହା ଘଟିଗଲା ତାହା ଅତ୍ୟନ୍ତ ହୃଦୟ ବିଦାରକ । ହେଲେ ବୋଟରେ ଯାତ୍ରା କରୁଥିବା ଯାତ୍ରୀ ଯାତ୍ରା ସମୟରେ କେବେ ବି ମୃତ୍ୟୁ ଏପରି ଆସିବ ବୋଲି ଭାବିନଥିଲେ । ବେଶ୍ ଆନନ୍ଦର ସହ ସମସ୍ତ ଯାତ୍ରୀ ସାମିଲ ହୋଇଥିଲେ ବୋଟ୍ ଯାତ୍ରାରେ । ମୃତ୍ୟୁ ପୂର୍ବରୁ କେମିତି ଥିଲା ବୋଟ ଯାତ୍ରାର ଅନୁଭବ ତାର ଭିଡିଓ ପହଂଚିଛି କନକ ଟିଭି ପାଖରେ । ଅନ୍ୟପକ୍ଷରେ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ମଝି ଚିଲିକାରେ ଡଙ୍ଗା ମାଡିଚାଲିଛି କାଳିଜାଈ ଆଡକୁ । ଶେଷ ରଜ ଅର୍ଥାତ ଶନିବାର ଅପରାହ୍ନ ସାଢେ ଚାରିଟାରୁ ପ୍ରାୟ ୫ଟା ଭିତରେ ମୋବାଇଲରେ ରେକର୍ଡ କରାଯାଇଥିଲା ଉକ୍ତ ଦୃଶ୍ୟ । ସମସ୍ତ ଯାତ୍ରୀ ହସ ହସ ମୁହଁରେ ବୋଟରେ ଯାତ୍ରା କରୁଥିଲେ । ହେଲେ ଜାଣିନଥିଲେ ଯେ ଆଗରେ ଏକ ବଡ ବିପଦ ସେମାନଙ୍କୁ ଅପେକ୍ଷା କରିଛି । ହେଲେ କେହି କିଛି ସମୟ ପାଇଁ ବି ଏ କଥା ଚିନ୍ତା କରିପାରିନାହାନ୍ତି । ଆଉ ଏହାର ପ୍ରାୟ ୨୦ ମିନିଟ ପରେ ମଝି ଚିଲିକାରେ ଝଡ ଚାଲିଆସିଛି ଓ ଡଙ୍ଗାଟି ଓଲଟି ଯାଇଛି । ମାତ୍ର କେଇ ମିନିଟ ଭିତରେ ସମସ୍ତଙ୍କ ମୁହଁରୁ ହସ ଲିଭିଯାଇ ଚିଲିକାର ଆକାତକାତ ପାଣିରେ ବୁଡି ଯାଇଛନ୍ତି ।

ଏବେ ତଦନ୍ତ ହେବ ଯେ କେମିତି ମଝି ଚିଲିକାରେ ଡଙ୍ଗା ବୁଡିଗଲା । ଆହୁରି ମଧ୍ୟ ତଦନ୍ତ ହେବ ଡଙ୍ଗାରେ ବସିଥିବା ଯାତ୍ରୀ ଲାଇଭ ଜ୍ୟାକେଟ ପିନ୍ଧିଥିଲେ ନା ନାହିଁ । କିନ୍ତୁ ଏହା ସମସ୍ତେ ଜାଣିଥିବେ କାଳିଜାଈ ଯାଉଥିବା ଘରୋଇ ଡଙ୍ଗା ଗୁଡିକର ଅବସ୍ଥା କଣ ଏବଂ ଏଥିରେ ଯାଉଥିବା ଯାତ୍ରୀ ଜ୍ୟାକେଟ ପିନ୍ଧନ୍ତି କି ନାହିଁ । ବାସ୍ତବ କଥା ହେଉଛି ସତ ସମସ୍ତେ ଜାଣନ୍ତି କିନ୍ତୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତି ।

ଘରୋଇ ଡଙ୍ଗାର ଲାଇସେନ୍ସ ନବୀକରଣ ନ ହେବା, ଡଙ୍ଗାର ଫିଟନେସ ଠିକ୍ ନରହିବା, ଲାଇଭ୍ ଜ୍ୟାକେଟ ନ ରହିବା ଚିଲିକାରେ ଯାତ୍ରାକୁ କେତେ ବିପଦ ସଙ୍କୁୁଳ କରିଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ । କେବଳ ଏହି ଘଟଣା ନୁହେଁ ପୂର୍ବରୁ ଡିସେମ୍ବର ୨୦୧୬ରେ ଚିଲିକାରେ ଡଙ୍ଗା ବୁଡି ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣାପଡିଥିଲା ଯାତ୍ରୀବାହୀ ଡଙ୍ଗା ନୁହେଁ ମାଛଧରା ଡଙ୍ଗାରେ ଯାତ୍ରା କରୁଥିଲେ ପର୍ଯ୍ୟଟକ ।