ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ ! କଳାରେ ୬୮ ଦଶମିକ ୭୯, ବାଣିଜ୍ୟରେ ୭୪ ଦଶମିକ ୯୧ ପ୍ରତିଶତ ପାସ୍

31

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ । ପୂର୍ବାହ୍ନ ୧୦ଟା ୩୦ରେ ସିଏଚଏସଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ । ତେବେ ଚଳିତ ବର୍ଷ କଳାରେ ୧ ଲକ୍ଷ ୫୮ ହଜାର ୩୭୮ ଜଣ ପାସ କରିଛନ୍ତି । ପାସ ହାର ରହିଛି ୬୮.୭୯ ପ୍ରତିଶତ । କଳାରେ ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ୬୩ ହଜାର ୭୫୯ ଜଣ ପୁଅ ପାସ କରିଥିବା ବେଳେ ୯୪ ହଜାର ୬୧୯ ଜଣ ଝିଅ ପାସ କରିଛନ୍ତି ।

ପ୍ରଥମ ଶ୍ରେଣୀରେ ୧୯ ହଜାର ୯୯୩, ଦ୍ୱିତୀୟ ଶ୍ରେଣୀରେ ୨୬ ହଜାର ୭୬ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୨ ହଜାର ୧୪୩ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । କଳାରେ ପୁରୀ ସର୍ବାଧିକ ପାସହାର ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ପାସ ହାର ରହିଛି ।

ସେହିପରି ବାଣିଜ୍ୟରେ ୨୬ ହଜାର ୯୮୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୦ ହଜାର ୨୧୬ ଜଣ ପାସ କରିଛନ୍ତି । ପାସ ହାର ରହିଛି ୭୪.୯୧ ପ୍ରତିଶତ । ୧୩ ହଜାର ୮୯ ଜଣ ପୁଅ ପାସ କରିଥିବା ବେଳେ ୭୧୨୭ ଜଣ ଝିଅ ପାସ କରିଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୪ ହଜାର ୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୩ ହଜାର ୭୩୪ ଓ ତୃତୀୟ ଶ୍ରେଣୀରେ ୧୨ ହଜାର ୪୭୦ ଜଣ ପାସ କରିଛନ୍ତି । ନୟାଗଡରେ ସର୍ବାଧିକ ଓ ଦେଓଗଡରେ ସର୍ବନିମ୍ନ ପାସ ହାର ରହିଛି ।

କିପରି ଜାଣିବେ ପରୀକ୍ଷାଫଳ

ଛାତ୍ରଛାତ୍ରୀମାନେ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିଏଚଏସଇ ଓଡ଼ିଶ ଡଟ୍ ଏନଆଇସି ଡଟ୍ ଇନ୍ ଓ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଓଡ଼ିଶା ରେଜଲ୍ଟସ୍ ଡଟ୍ ଏନଆଇସି ଡଟ୍ ଇନ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣି ପାରିବେ ।

ଏଠାରେ ଆମେ କହି ରଖୁଛୁ କି, ମାର୍ଚ୍ଚ ୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ପରୀକ୍ଷାରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ୩ ଲକ୍ଷ ୬୫ ହଜାର ୮୨୬ ଜଣ ପରୀକ୍ଷା ଦେଇଥିଲେ । ସିବିଏସଇ ପାଠ୍ୟକ୍ରମ ଢାଂଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ ଚଳିତବର୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।