ସତ ଥିଲା କି ଯୁକ୍ତ-୨ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଅଭିଯୋଗ ! ପରୀକ୍ଷା କମିଟିର ଫିକ୍ସିଂ ଅଭିଯୋଗ ପରେ ନରମିଲା ସିଏଚଏସଇ । ଶେଷ ମୁହୂର୍ତ୍ତରେ କିଛି କେନ୍ଦ୍ର ବଦଳାଇବାକୁ ନେଲା ନିଷ୍ପତି

334

କନକ ବ୍ୟୁରୋ: ପରୀକ୍ଷା କେନ୍ଦ୍ର ଫିକ୍ସିଂକୁ ନେଇ ପରୀକ୍ଷା କମିଟି ସହ ବିବାଦ ପରେ ନରମି ଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଶେଷରେ କିଛି ପରୀକ୍ଷା କେନ୍ଦ୍ରକୁ ବଦଳାଇ ଦେଇଛି । କେନ୍ଦ୍ର ପରିବର୍ତ୍ତନ ନେଇ ଖୁବଶୀଘ୍ର ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ । ଲାଂଚ ନେଇ ପରୀକ୍ଷା କେନ୍ଦ୍ର ବଦଳା ଯାଉଥିବା ଅଭିଯୋଗ ଆଣିଥିଲା ପରୀକ୍ଷା କମିଟି ।

ପରୀକ୍ଷା କେନ୍ଦ୍ର ଫିକ୍ସିଂକୁ ନେଇ ପରୀକ୍ଷା କମିଟି ସହ କଥା କଟି କଟି ହେବା ପରେ ନରମି ଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଶେଷରେ କିଛି ପରୀକ୍ଷା କେନ୍ଦ୍ରକୁ ବଦଳାଇ ଦେଇଛି । ଫିକ୍ସିଂ ବିବାଦ ମାମଲା ରାଜ୍ୟ ମାନବ ଅଧିକାର କମିଶନଙ୍କ ପାଖରେ ପହଁଚିବା ପରେ ଜରୁରୀ ବୈ÷ଠକ ଡକାଇଥିଲା ସିଏଚଏସଇ । ଗତ ୭ତାରିଖରୁ ପରୀକ୍ଷା କେନ୍ଦ୍ର ଘୋଷଣା ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ବିବାଦ ଆଗକୁ ବଢ଼ିବା ପରେ ଆଉ ଥରେ କେନ୍ଦ୍ର ପରିବର୍ତ୍ତନ ନେଇ ଖୁବଶୀଘ୍ର ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ସିଏଚଏସଇ । ୧୧୪୨ କେନ୍ଦ୍ର ମଧ୍ୟରୁ ୨୦ କେନ୍ଦ୍ର ପରିବର୍ତ୍ତନ କରିବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ମାର୍ଚ୍ଚ ତିନି ତାରିଖରେ ପ୍ଲସ୍ ଟୁ ପରୀକ୍ଷା । ହେଲେ ପରୀକ୍ଷା କେନ୍ଦ୍ରକୁ ନେଇ ପରୀକ୍ଷା କମିଟି ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭିତରେ ଆରମ୍ଭ ହୋଇ ଯାଇଥିଲା ବିବାଦ । ଲାଂଚ ନେଇ ପରୀକ୍ଷା କେନ୍ଦ୍ର ବଦଳା ଯାଉଥିବା ଅଭିଯୋଗ ଆଣିଥିଲା ପରୀକ୍ଷା କମିଟି । ଅଭିଯୋଗ ହୋଇଥଲା କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକାକୁ ବେଖାତିର କରି ଆଉ ଏକ ତାଲିକା ପ୍ରକାଶ କରାଯାଇଛି । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବେ ବୋଲି ଧମକ ଦେଇଥିଲେ ଦୁଇ ପରୀକ୍ଷା କମିଟି ସଦସ୍ୟ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତି ।

ତେବେ ଶେଷ ମୁହୂର୍ତରେ କିଛି ପରୀକ୍ଷା କେନ୍ଦ୍ର ବଦଳାଇବାକୁ ସିଏଚଏସି ନିଷ୍ପତି ନେବା ପରେ ଏବେ ପ୍ରଶ୍ନ ଉଠୁଛି – ପରୀକ୍ଷା କମିଟି ସଦସ୍ୟ କରିଥିବା ଅଭିଯୋଗରେ ରହିଛି କି ସତ୍ୟତା? ହୋଇଛି କି ଯୁକ୍ତ-୨ ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ?