ଦେଶରେ ବଢିବାରେ ଲାଗିଛି ରେଳ ଦୁର୍ଘଟଣା । ପୁଣି ଏକ ବଡ ବିପଦରୁ ରକ୍ଷା ପାଇଗଲା ଚୌରୀ ଚୌରା ଏକ୍ସପ୍ରେସ !

39

କନକ ବ୍ୟୁରୋ : ସାରା ଦେଶରେ ଏବେ ରେଳ ଦୁର୍ଘଟଣା ବଢିବାରେ ଲାଗିଛି । ପୂର୍ବରୁ ପଜାଂବରେ ହୋଇଥିବା ରେଳ ଦୁର୍ଘଟଣାରେ ୬୦ ରୁ ଉଦ୍ଧ୍ୱର୍ ଲୋକଙ୍କ ପ୍ରାଣ ଚାଲିଯାଇଛି । ତେବେ ବର୍ତମାନ ସମୟରେ ଦେଶରେ ରେଳ ଦୁର୍ଘଟଣା ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି । ପ୍ରତିଦିନ କେଉଁଠି ନା କେଉଁଠି ରେଳ ଦୁର୍ଘଟଣା ଘଟି ଅନେକ ଅମୂଲ୍ୟ ଜୀବନ ନଷ୍ଟ ହେଉଛି । ମିଳିଥିବା ସୂଚନା ଅନୁସାରେ ସେହିଭଳି ବାରଣାସୀରେ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଲା ଚୌରୀ ଚୌରା ଏକ୍ସପ୍ରେସ । ବିକାପୁର ଗାଁ ନିକଟ ୯ ନମ୍ବର ରେଳ ଫାଟକ ପାଖରେ ରେଳ ଲାଇନ ଭ।ଙ୍ଗିଯାଇଥିବା ବେଳେ, ଗୋରଖପୁରରୁ କାନପୁର ଯାଉଥିବା ଚୌରୀ ଚୌରା ଏକ୍ସପ୍ରେସ ଏହା ଉପରେ ଦେଇଯାଇଥିଲା । ସୌଭାଗ୍ୟବଶତଃ ଟ୍ରେନଟିର କିଛି ହୋଇନଥିବା ବେଳେ, ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଯାଇଛନ୍ତି ଯାତ୍ରୀମାନେ ।

 

ତେବେ ଟ୍ରେନଟି ଯିବାବେଳେ ଏକ ବଡ ଧରଣର ଶବ୍ଦ ହୋଇଥିଲା । ଫଳରେ ଗାଁ ଲୋକେ ଦୌଡିଆସି ପଟ୍ରି ଭାଙ୍ଗିଯାଇଥିବା ଦେଖି ନିକଟସ୍ଥ ରେଲଓ୍ବେ ଷ୍ଟେସନର ଅଧିକ୍ଷକଙ୍କୁ ଏହାର ସୂଚନା ଦେଇଥିଲେ । ଏହାପରେ ଉକ୍ତ ଲାଇନ ଦେଇ ଯିବାକୁଥିବା ୨ ଟି ଟ୍ରେନକୁ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା ।

 

ଘଟଣାରେ ବିଭାଗୀୟ ଅଧିକାରୀ ତର୍ଜମା କରି କହିଛନ୍ତିଯେ, ସାଧାରଣତଃ ଏହି ସମୟରେ ପଟ୍ରିରେ ଫାଟ ଦେଖାଯାଇଥାଏ ଏହା କୌଣସି ବଡ କଥା ନୁହେଁ । ତେବେ ଗାଁ ଲୋକଙ୍କ କହିବାନୂଯାୟୀ ଯଦି ଏକ୍ସପ୍ରେସର ସ୍ପିଡ ଅଧିକ ଥାନ୍ତା ତେବେ ନିଶ୍ଚିତ ଏକ ବଡ ଦୁର୍ଘଟଣା ଘଟିଥାନ୍ତା । ତେବେ ଘଟଣାସ୍ଥଳରୁ ଇଞ୍ଜିନିୟରିଂ ଟିମ ପହଁଚି ଟ୍ରାକକୁ ଠିକ କଲା ପରେ ଏବେ ଟ୍ରେନ ଚଲାଚଳ ସ୍ବାଭାବିକ ହୋଇଛି । ତେବେ ସାରା ଭାରତରେ ଯେପରି ଭାବରେ ରେଳ ଦୁର୍ଘଟଣା ସଂଖ୍ୟା କ୍ରମାଗତ ଭାବରେ ବଢିଚାଲିଛି ତାହାକୁ ରୋକିବା ପାଇଁ ରେଳ ମନ୍ତ୍ରଣାଳୟ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି ।