କେନ୍ଦୁଝର ହାଟଡିହିରେ ବେଧଡକ ଭାବେ ଚାଲିଛି ମୋରମ ଚାଲାଣ ! ଅନୁମତି ପତ୍ର ନଥାଇ ଠିକା କଂପାନୀ କରୁଛି ଚୋରା ଚାଲାଣ

31

କନକ ବ୍ୟୁରୋ: ବେଆଇନ ମୋରମ ଓ ଅଣଖଣିଜ ପଦାର୍ଥ ଚୋରା ଚାଲଣକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଗୃହରେ ଏ ନେଇ ବିଭାଗୀୟ ମନ୍ତ୍ରୀ ଗତକାଲି ଉତ୍ତର ରଖିଥିଲେ । ଆଉ ଏହି ବେଆଇନ କାରବାରକୁ ରୋକିବା ପାଇଁ ସ୍କାର୍ଡ ଗଠନ କରାଯାଇଥିବା ମନ୍ତ୍ରୀ କହିଥିଲେ । ତେବେ ଏହି ସ୍କାର୍ଡ ଉପରେ ଚୋରା ଚାଲାଣକାରୀ ଆକ୍ରମଣ କରୁଥିବାର ମନ୍ତ୍ରୀ ସ୍ୱୀକାର କରିଥିଲେ ।

ହାଟଡ଼ିହି ବ୍ଲକ ଝଣଝଣା ଗ୍ରାମ ନିକଟରେ ବୈତରଣୀ ନଦୀ ସଂଯୋଗୀକରଣ ଯୋଜନାରେ ଚାଲିଥିବା କେନାଲ ଖୋଳାରେ ବାହାରୁଥିବା ମୋରମକୁ ଜିଲ୍ଲା ବାହାରକୁ ଚୋରାଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ବିରଜା କନଷ୍ଟ୍ରକସନ ଦିନକୁ ଶହଶହ ଟ୍ରିପ ମୋରମ ଚାଲାଣ କରୁଥିବାରୁ ଗ୍ରାମବାସୀମାନେ ଉଠାଇଛନ୍ତି ପ୍ରଶ୍ନ । ବଡ କଥା ହେଉଛି ଏକ ଠିକାସଂସ୍ଥା ବିରଜା କନଷ୍ଟ୍ରକସନ କିଭଳି ଶହଶହ ଟ୍ରିପ ମୋରମ ଚାଲାଣ କରୁଛି ତାହାର ଖବର ପ୍ରଶାସନ ପାଖରେ ନାହିଁ । ତେବେ କେନାଲ ଖୋଳୁଥିବା ବିରଜା କନଷ୍ଟ୍ରକସନ ଠିକା ସଂସ୍ଥା ଏନେଇ ତହସିଲଦାରଙ୍କ ଠାରେ ଆବେଦନ କରିଥିବା କହିଛନ୍ତି ହାଟଡିହି ତହସିଲଦାର । ଯାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ପ୍ରଶ୍ନ ନଂ-୧-ଆବେଦନକୁ ଗ୍ରହଣ କରାଯାଇନଥିବାବେଳେ ମୋରମ ଚାଲାଣକୁ ଅନୁମତି ଦେଲା କିଏ?

ପ୍ରଶ୍ନ ନଂ-୨-ଚୋରାଚାଲାଣ ପଛରେ ଆଉ କାହାର ହାତ ଅଛି ?

ସେପଟେ, ବେଧଡକ ଭାବେ ରାଜ୍ୟରେ ବାଲି ଓ ମୋରମ ଚୋରା ଚାଲାଣ ହେଉଥିବାନେଇ ବିଧାନସଭାରେ ରାଜସ୍ୱମନ୍ତ୍ରୀ ସ୍ୱୀ୍କାର କରିବା ସହ ଏଥିଲାଗି ସବଡିଭିଜନ ଓ ତହସିଲ ସ୍ତରରେ ସ୍କ୍ୱାର୍ଡ ଗଠନ କରିଥିବା ନେଇ କହୁଛନ୍ତି । ତେବେ ହାଟଡିହି ତହସିଲରେ ହେଉଥିବା ଏପରି ମୋରମ ଚୋରା ଚାଲାଣ ରୋକିବା ଦିଗରେ ସ୍କ୍ୱାର୍ଡ କି ପଦକ୍ଷେପ ନେଉଛି ତାହା ଏବେ ଅପେକ୍ଷାରେ ରହିଛି ।