ଶିକ୍ଷକଙ୍କ ଚାପ ଆଗରେ ନଇଁଲେ ସରକାର ! ଗ୍ରାଂଟ୍ ଇନ୍ ଏଡ୍ ପାଇଁ ଦେବାକୁ ପଡିବ ନାହିଁ ସତ୍ୟପାଠ

29

କନକ ବ୍ୟୁରୋ: ଶିକ୍ଷକଙ୍କ ଚାପ ଆଗରେ ନଇଁଛନ୍ତି ସରକାର । ଶିକ୍ଷକଙ୍କୁ ଖୁସି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଗ୍ରାଂଟ୍ ଇନ୍ ଏଡ ପାଇଁ ଶିକ୍ଷକଙ୍କୁ ଆଉ ସତ୍ୟପାଠ ଦେବାକୁ ପଡିବ ନାହିଁ । ସରକାରଙ୍କ ସର୍ତାବଳୀ ସତ୍ୟପାଠ ବିରୋଧରେ ରାଜରାସ୍ତାରେ ହଜାର ହଜାର ଶିକ୍ଷକ ପ୍ରତିବାଦ କରିଥିଲେ ।

ପୁରୀରୁ ବିଶାଳ ପଟୁଆର ବାହାରି ଭୁବନେଶ୍ୱର ଲୋୟର ପିଏମଜିରେ ହୋଇଥିଲା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ମହାସମାବେଶ । ଦାବି ପୂରଣ ନହେଲେ ବିଜେପୁର ଯାଇ ବିଜେଡି ବିରୋଧରେ ପ୍ରଚାର କରିବା ପାଇଁ ଧମକ ଦେଇଥିଲେ ବ୍ଳକ ଗ୍ରାଂଟ୍ ଶିକ୍ଷକ । ଗତ ବର୍ଷ ଅଗଷ୍ଟ ମାସରେ ଶିକ୍ଷକଙ୍କ ଆନ୍ଦୋଳନ ପରେ ବ୍ଳକ ଗ୍ରାଂଟ୍ ଉଚ୍ଛେଦ କରି ଗ୍ରାଂଟ୍ ଇନ୍ ଏଡ ଘୋଷଣା କରିଥିଲେ ସରକାର । ତେବେ ଗ୍ରାଂଟ୍ ଇନ୍ ଏଡ୍ ପାଇବାକୁ ହେଲେ ସରକାରଙ୍କ ସର୍ତ ମାନିବାକୁ ପଡିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ନେଇ ତାତି ଉଠିଥିଲେ ଶିକ୍ଷକ ।

ବ୍ୟକ୍ତିଗତ ସତ୍ୟପାଠରେ ସାମ୍ବିଧାନିକ ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରିଥିଲେ । ଏହାକୁ ପ୍ରତ୍ୟାହାର ନକଲେ ଆଗାମୀ ମାଟ୍ରିକ ପରୀକ୍ଷାରେ ଶିକ୍ଷକମାନେ ସହଯୋଗ କରିବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ଏହାପରେ ସରକାରଙ୍କ ପକ୍ଷରୁ ଶିକ୍ଷକଙ୍କୁ ଆଉ ସତ୍ୟପାଠ ଦାଖଲ କରିବାକୁ ପଡିବ ନାହିଁ ବୋଲି ଘୋଷଣା କରାଯାଇଛି ।