ପାକର କ୍ରୁରତାର କାହାଣୀ ! ଗୋପନୀୟ ତଥ୍ୟ ହାସଲ ପାଇଁ ଅଭିନନ୍ଦନଙ୍କୁ ମାଡ ମାରିବା ସହ ଶ୍ୱାସରୁଦ୍ଧ କରିବାକୁ କରାଯାଇଥିଲା ଚେଷ୍ଟା

970

କନକ ବ୍ୟୁରୋ : ପାକିସ୍ତାନର କ୍ରୁରତାର କାହାଣୀ ସାମ୍ନାକୁ ଆସିଛି । ୫୬ ଘଂଟାରରେ ଭାରତୀୟ ୱିଙ୍ଗ କମାଣ୍ଡରଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା । ପାକିସ୍ତାନରେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ବିତାଇଥିବା ସେହି ୫୬ଘଂଟାର ଲୋମଟାଙ୍କୁରା କାହାଣୀ ଏବେ ପାକର ଅସଲ ଚରିତ୍ରକୁ ପଦାରେ ପକାଇଛି । ତଥ୍ୟ ଆଦାୟ କରିବା ପାଇଁ ନିର୍ଯାତନାର ସବୁ ସୀମା ଟପି ଯାଇଥିଲା ପାକିସ୍ତାନ ଆର୍ମି ।

ଅଭିନନ୍ଦନଙ୍କୁ ପାଇବା ପରେ ଭାରତୀୟ ସେନା, ଗୋପନୀୟ ସୁରକ୍ଷା ବ୍ୟବସ୍ଥା, ଭାରତର ରେଡିଓ ଫ୍ରିକ୍ୟୁଏନ୍ସି ନମ୍ବର ଓ ସମ୍ବେଦନଶୀଳ ତଥ୍ୟ ସବୁ ଜାଣିବା ପାଇଁ ଚେଷ୍ଟା କରିଥିଲେ ପାକିସ୍ତାନ ସେନାର ଅଧିକାରୀମାନେ । ମାଡ ମାରି, ଶ୍ୱାସରୁଦ୍ଧ କରି, ଶୋଇବାକୁ ନଦେଇ ଉଭୟ ଶାରିରୀକ ଓ ମାନସିକ ଭାବେ ତାଙ୍କୁ ଆଘାତ ଦେଇ ତଥ୍ୟ ଆଦାୟ ପାଇଁ ହୋଇଥିଲା ଚେଷ୍ଟା । ଅତି ଅମାନବୀୟ ଭାବେ ଦୀର୍ଘ ସମୟ ଧରି ଠିଆ କରି ରଖିବା ସହ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବଜାଇ ତାଙ୍କ ମାନସିକତାକୁ ପ୍ରଭାବିତ କରିବାର ହୀନ ଉଦ୍ୟମ ମଧ୍ୟ କରାଯାଇଥିଲା ।

ହେଲେ ଭାରତର ବୀର ପୁଅ ଅଭିନନ୍ଦନ ହସି ହସି ସବୁ ନିର୍ଯାତନା ସହିବା ସହ ପାଟି ହିଁ ଖୋଲି ନଥିଲେ । ଜେନେଭା ଚୁକ୍ତି ଅନୁସାରେ ଯୁଦ୍ଧ ବନ୍ଦୀଙ୍କୁ ଭଲ ବ୍ୟବହାର ଦେଖାଇବାର ନିୟମ ରହିଛି । ହେଲେ ସବୁ ନିୟମକୁ ଫୁ କରି ମାନବିକତାକୁ ମାରିଦେଇଥିଲା ପାକିସ୍ତାନ । ଆନ୍ତର୍ଜାତୀୟ ଚାପ ଓ ଭାରତର ସମରସଜ୍ଜା ଦେଖି ଅଭିନନ୍ଦନ ଫେରାଇବାକୁ ଶେଷରେ ବାଧ୍ୟ ହୋଇଥିଲା ପାକିସ୍ତାନ । ପାକ ସେନା ଭଲ ବ୍ୟବହାର ଦେଖାଇଥିଲା ବୋଲି ଅଭିନନ୍ଦନଙ୍କ ମୁହଁରେ ଭିଡିଓ ମଧ୍ୟ ତିଆରି କରିଥିଲା । ହେଲେ ଭାରତୀୟ ବାୟୁସନୋର ଅଧିକାରୀମାନଙ୍କ ଆଗରେ ଅଭିନନ୍ଦନ ବୟାନ ଦେଇଥିବା ତଥ୍ୟ ଏବେ ପାକିସ୍ତାନର ଅସଲ ଚରିତ୍ରକୁ ପଦାରେ ପକାଇଛି